ଲାଞ୍ଜିଗଡ଼,୨୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ପାହାଡ଼ପଦର ଓ ଜାମାଗୁଡ଼ା ଗ୍ରାମରେ ୨୯ ଟିକିଆ ହାତୀପଲ ଉପଦ୍ରବ କରି ୫ଟି ପରିବାରର ବ୍ୟାପକ କ୍ଷତି ଘଟାଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀପଲ ପାହାଡ଼ପଦରରେ ହରେକୃଷ୍ଣ ସାହୁ ଓ ବିରସିଂ ମାଝୀଙ୍କ ଧାନ ଫସଲ ନଷ୍ଟ କରିଥିବା ବେଳେ ଜାମାଗୁଡ଼ାରେ ତ୍ରିନାଥ ସାହୁ, ରବୀନ୍ଦ୍ର ସାହୁ ଓ ବିରଞ୍ଚି ସାହୁଙ୍କ ଘର ଭାଙ୍ଗିବା ସହ ଧାନ, ମାଣ୍ଡିଆ, ବିରି, ଅଳସି ଓ ରାଶନ ସାମଗ୍ରୀ ନଷ୍ଟ କରିଛନ୍ତି।
ବୁଧବାର ସକାଳୁ ଖବର ପାଇ ବିଜେପୁର ଫରେଷ୍ଟର ସମରେନ୍ଦ୍ର ପଣ୍ଡା ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ହାତୀ ଉପଦ୍ରବ ରୋକିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।