ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍ର ଜଣେ ସଦସ୍ୟ ଆମ୍ବ ଗଛ ଉପରକୁ ଚଢ଼ିଯାଇଥିଲେ ହେଁ ହାତୀ ତାଙ୍କୁ ସହଜରେ ଛାଡ଼ି ନ ଥିଲା। ଉତ୍ପାତିଆ ଏକ ଦନ୍ତା ହାତୀ ଗଛ ମୂଳେ ପ୍ରାୟ ଘଣ୍ଟାଏ ଧରି ଜଗି ରହିଥିଲା। ସାଥୀ ହାତୀମାନେ ମଧ୍ୟ ସେଠାରେ ଏକାଠି ହୋଇଥିଲେ। ସମ୍ପୃକ୍ତ ସଦସ୍ୟଙ୍କୁ ଉଦ୍ଧାର ପାଇଁ ଯାଇଥିବା ସ୍କ୍ବାଡ୍ର ଅନ୍ୟ ସଦସ୍ୟଙ୍କୁ ବି ହାତୀପଲ ପାଖକୁ ଯିବାକୁ ଦେଇ ନ ଥିଲେ। ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ଗଁାରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, କିଛି ଦିନ ହେବ ଛେଣ୍ଡିପଦା ବନାଞ୍ଚଳର ପାଟକମୁଣ୍ଡା ପଞ୍ଚାୟତର ଧାଙ୍ଗୁରୁମୁଣ୍ଡା, ବିଜାପଦା, ପାଟକମୁଣ୍ଡା, ଭାଲୁଖାଇ, ତେବୁଡ଼, ରାମଚନ୍ଦ୍ରପୁର, ସିନ୍ଦୂରପାଳ ଆଦି ଗାଁରେ ହାତୀପଲ ଆତଙ୍କ ଚଳାଇଛନ୍ତି। ଚଳିତବର୍ଷ ଚାଷ ବିଳମ୍ବ ହେଉଥିବାବେଳେ ହାତୀପଲ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏଥିସହ ଗାଁରେ ପଶି ଘର କାନ୍ଥ ଭାଙ୍ଗି ଧାନ, ଚାଉଳ ଆଦି ଖାଇ ଦେଇଛନ୍ତି। କିଛିଦନ ତଳେ ଏକ ହାତୀ ପଲ ପାଟକମୁଣ୍ଡା ଗଁାରେ ପଶିଥିବା ହାତୀ ସ୍କ୍ବାଡ୍କୁ ଖବର ମିଳିଥିଲା। ତୁରନ୍ତ ହାତୀ ସ୍କ୍ବାଡ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ହାତୀଙ୍କୁ ଘଉଡ଼ାଇବା ବେଳେ ହଠାତ୍ ଏକ ଦନ୍ତା ହାତୀ ସ୍କ୍ବାଡ୍ ସଦସ୍ୟଙ୍କୁ ଗୋଡାଇଥିଲା। ଜୀବନ ବିକଳରେ ସ୍କ୍ବାଡ୍ ସଦସ୍ୟ ରାକେଶ ସାହୁ ଦୌଡ଼ି ପାଖରେ ଥିବା ଏକ ଆମ୍ବ ଗଛ ଉପରକୁ ଚଢି ଯାଇଥିଲେ। ଏହାଦେଖି ଉକ୍ତ ଦନ୍ତାହାତୀ ସହ ହାତୀପଲ ଗଛ ମୂଳରେ ଦୀର୍ଘ ସମୟ ଧରି ବିକଟାଳ ଶବ୍ଦ କରି ଜଗି ରହିଥିଲେ। ସ୍କ୍ବାଡ୍ର ଅନ୍ୟ ସଦସ୍ୟମାନେ ଉଦ୍ଧାର କରିବାକୁ ଆସୁଥିବାବେଳେ ହାତୀ ସେମାନଙ୍କୁ ମଧ୍ୟ ଗୋଡାଇଥିଲେ। ଦୀର୍ଘ ଘଣ୍ଟାଏ ପରିଶ୍ରମ ପରେ ହାତୀପଲ ଜଙ୍ଗଲ ଆଡକୁ ଚାଲିଯିବାରୁ ସ୍କ୍ବାଡ୍ ସଦସ୍ୟ ରାକେଶ ତଳକୁ ଓହ୍ଲାଇଥିଲେ। ହାତୀଙ୍କ ଏପରି ଉତ୍ପାତ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିବା ସହିତ ହାତୀପଲକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା, ଗଁା ଚତୁଃପାର୍ଶରେ ସୋଲାର ଫେନସିଂ, ସୋଲାର ଲାଇଟ, ହାଇମାକ୍ସ ଲାଇଟ ଲଗାଯିବା ଆଦି ପାଇଁ ପୂର୍ବତନ ସମିତି ସଭ୍ୟା କାଶୀନାଥ ସାହୁ, ସରସ୍ବତୀ ବାଘ, ପୁରନ୍ଦର ସାହୁ, ଲମ୍ବୋଦର ପ୍ରଧାନ, ସବିତା ଭୂତିଆ, ସ୍ବର୍ଣ୍ଣଲତା ବାଘ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ହନୁମାନ କହିଛନ୍ତି, ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଲୋକଙ୍କ ଧନ ଜୀବନ କିପରି ସୁରକ୍ଷିତ ରହିବ, ସେ ନେଇ ବନ କର୍ମଚାରୀମାନେ ତତ୍ପର ଅଛନ୍ତି।