ସହରରେ ବୁଲିଲା ଦନ୍ତା

କୁଆଁରମୁଣ୍ଡା,୨୯।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ସହର ଭିତରକୁ ଶୁକ୍ରବାର ଏକ ଦନ୍ତା ହାତୀ ପଶି ଆସିଥିଲା। ବୀରମିତ୍ରପୁର ବନ ରେଞ୍ଜ ଅଧିକାରୀ ଦୁର୍ଯ୍ୟୋଧନ ଜେରାଇ ଉପସ୍ଥିତ ରହି ବନ କର୍ମଚାରୀଙ୍କ ସହାୟତାରେ ହାତୀକୁ ଘଉଡାଇଥିଲେ। ଫଳରେ ହାତୀଟି ଜଲଙ୍ଗବିରା ଜଙ୍ଗଲ ଆଡକୁ ପଲାଇ ଥିବା ସୂଚନା ମିଳିଛି।

ହାତୀଟି ପ୍ରଥମେ ଘଘାରି ଜଙ୍ଗଲରୁ ବାହାରି ଅନ୍ଧାରୀ ରୋଡରେ ଥିବା ଜାଗୃତି ହାଇସ୍କୁଲ, ଶ୍ରମଶକ୍ତି କଲେଜ, ତହସିଲ ଅଫିସ ହୋଇ ବୀରମିତ୍ରପୁର ସହରରେ ପଶିଥିଲା। ଏହି ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ପାର ହୋଇ କୁନାଦେଓ ଘର ଛକ ହୋଇ ଜଲଙ୍ଗବିରା ପଞ୍ଚାୟତ ଅଞ୍ଚଳକୁ ପ୍ରବେଶ କରିଥିଲା। ସେଠାରୁ ବନ କର୍ମଚାରୀ ଘଉଡାଇବା ପରେ ହାତୀଟି ନିକଟସ୍ଥ ଜଲଙ୍ଗବିରା ପାହାଡ଼ରେ ଅଞ୍ଚଳକୁ ଚାଲିଯାଇଥିଲା। ହାତୀ ସହର ମଧ୍ୟ ଦେଇ ଯିବା ବେଳେ ବନ ବିଭାଗ କର୍ମଚାରୀ ମାଇକ୍‌ ଯୋଗେ ଲୋକମାନଙ୍କୁ ବାହାରକୁ ନ ବାହାରିବାକୁ ସତର୍କ କରାଇଥିଲେ। ହେଲେ ହାତୀଟି କୌଣସି କ୍ଷତି ନ ଘଟାଇ ସୁନା ପିଲା ଭଳି ସହର ଅତିକ୍ରମ କରିଥିବା ବୀରମିତ୍ରପୁର ସହରରେ ଆଲୋଚନା ହେଉଛି।