ବଲାଙ୍ଗୀର/କଣ୍ଟାବାଞ୍ଜି, ୧୫।୧୧ (ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହଂସ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଲାଠୋର ରେଞ୍ଜର ଘାଗୁର୍ଲି ଗ୍ରାମ ନିକଟ ଘାଘରା ରାସ୍ତାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଲାଠୋର ରେଞ୍ଜ ଅଞ୍ଚଳରେ ଏକ ହାତୀପଲ ବୁଲୁଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।
ସୂଚନା ଅନୁଯାୟୀ, ଘାଗୁର୍ଲି ଗ୍ରାମର ପଙ୍କ କାଣ୍ଡ (୬୫) ଘାଘରା ନିକଟରେ ପୂର୍ତ୍ତ ବିଭାଗ ରାସ୍ତାକଡ଼ରେ ଥିବା ଏକ ଖାଲରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ହାତୀ ଆକ୍ରମଣ କରି ତାଙ୍କୁ ଖାଲରେ ପକାଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଗତ ରାତିରେ କିଛି ଲୋକ ରାସ୍ତାକଡ଼ରେ ଥିବା ଏକ ଫାର୍ମହାଉସ୍ରେ ଭୋଜିଭାତ କରିଥିଲେ। ପଙ୍କ ଗ୍ରାମକୁ ଫେରିବା ପରେ ପୁଣି ଥରେ ଫାର୍ମହାଉସ୍ ନିକଟକୁ ରାସ୍ତାରେ ଯାଉଥିବା ବେଳେ ଜଙ୍ଗଲରୁ ଏକ ହାତୀ ଆସି ତାଙ୍କୁ ଆକ୍ରମଣ କରି କଚାଡ଼ି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ, କିଛି ଲୋକ ଶୌଚ ହେବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ଘଟିଥିବା କହିଛନ୍ତି। ଘଟଣାଟି ରାତି ୧୨ଟା ପରେ ଘଟିଥିବା ଅନୁମାନ କରାଯାଉଛି।
ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ହାତୀ ଆକ୍ରମଣରେ ମୃତ ବୃଦ୍ଧଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ଦାବି କରିଛନ୍ତି।