ବସ୍‌କୁ ଠେଲି ନେଲା ଦନ୍ତା

ବାରିପଦା ଅଫିସ,୯।୧- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଟିକପଦା ରାସ୍ତାରେ ରବିବାର ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଗୋଡ଼ାଇବା ସହ ଠେଲି ଠେଲି ୫୦ ମିଟର ଆଗକୁ ନେଇଯାଇଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବସ୍‌ଟିର ପଛପାର୍ଶ୍ୱ ଆଂଶିକ ଭାଙ୍ଗିଯାଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ପ୍ରକାଶ ଯେ, ବାଲେଶ୍ୱର ଜିଲା ଓଲମରାରୁ ଉକ୍ତ ବସ୍‌ ରାସଗୋବିନ୍ଦପୁର ଆସୁଥିବା ସମୟରେ ଟିକପଦାଠାରେ ଦନ୍ତାହାତୀଟି ଆକ୍ରମଣ କରିଥିଲା। ବସ୍‌ ପଛପାର୍ଶ୍ୱରୁ ପ୍ରାୟ ୫୦ରୁ ୧୦୦ ମିଟର ପର୍ଯ୍ୟନ୍ତ ହାତୀ ଠେଲି ଠେଲି ନେଇଥିଲା। ଏଥି ଯୋଗୁ ଆତଙ୍କିତ ହୋଇପଡ଼ିଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ତେବେ ବସ୍‌ ଡ୍ରାଇଭର ଚତୁରତାର ସହ ଗାଡ଼ିକୁ ନେଇ ପଳାଇଯିବାରୁ ଯାତ୍ରୀମାନଙ୍କର କିଛି ଅସୁବିଧା ହୋଇନାହିଁ।