ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର ମୃତଦେହ ଚାଷଜମିରୁ ଜବତ ହୋଇଛି। ଫସଲ ସୁରକ୍ଷା ପାଇଁ ଜମିରେ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବରପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ହାତୀଟି ବାରମ୍ବାର ଚାଷଜମିରେ ପଶି ଫସଲ ନଷ୍ଟ କରୁଥିବାରୁ ଏହାର ସୁରକ୍ଷା ପାଇଁ ଜମିରେ ବିଦ୍ୟୁତ୍ ତାର ବିଛାଯାଇଥିଲା। ତାର ସଂସ୍ପର୍ଶରେ ଆସି ଦନ୍ତାହାତୀଟିର ଜୀବନ ଯାଇଥିବା କୁହାଯାଉଛି। ତେବେ ଏହି ଘଟଣାରେ କିଏ ଦାୟୀ ଏବଂ କିଏ ବିଦ୍ୟୁତ୍ ତାର ବିଛାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏହି ସମ୍ପର୍କରେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ମଙ୍ଗଳବାର ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ଆବଶ୍ୟକ ନମୁନା ପରୀକ୍ଷାଗାରକୁ ପଠାଯିବ। ବ୍ୟବଚ୍ଛେଦ ଓ ପରୀକ୍ଷାଗାର ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ଉଲ୍ଲେଖଯୋଗ୍ୟ, ଜିଲାର ବୈଶିଙ୍ଗା, ରାସଗୋବିନ୍ଦପୁର ଓ ବାଙ୍ଗିରିପୋଷି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏଭଳି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି କାରାମଘୁଟୁ ଅଞ୍ଚଳରେ ଦନ୍ତାହାତୀର ମୃତ୍ୟୁ ପରେ ବନ୍ୟଜନ୍ତୁ ସୁରକ୍ଷା ଓ ଚାଷଜମିରେ ବେଆଇନ ବିଦ୍ୟୁତ୍ ସଂଯୋଗକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।