ଛଟପଟ ହୋଇ ମଲା ଦନ୍ତା, ପହଞ୍ଚିଲାନି ବନ ବିଭାଗ

ଖୋର୍ଦ୍ଧା ଅଫିସ,୨୬।୧୨: ଖୋର୍ଦ୍ଧା ଜିଲା ଟାଙ୍ଗି ବନାଞ୍ଚଳ ଭୂଷଣ୍ଡପୁର ନିକଟ ରେଳ ଧାରଣା କଡ଼ରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ଦନ୍ତାର ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିରେ ଅନ୍ୟ ୨ଟି ହାତୀ ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ଜଙ୍ଗଲ ଭିତରେ ହାତୀ ପଲ ଜଗି ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ଏକ ୧୮ ଟିକିଆ ହାତୀ ପଲ ଟ୍ରେନ୍‌ ଲାଇନ ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେନ୍‌ ଦନ୍ତାକୁ ଧକ୍କା ଦେଇଥିଲା। ଏଥିରେ ଦନ୍ତାଟି ଗୁରୁତର ହୋଇଥିଲା। ଅନ୍ୟ ହାତୀପଲ ଜଙ୍ଗଲକୁ ଚାଲି ଯାଇଥିଲେ। ସେଥିରୁ ଦୁଇଟି ହାତୀ ଆହତ ହୋଇଥିବା କୁହାଯାଉଛି।
ଟ୍ରେନ ଧକ୍କା ସମ୍ପର୍କରେ ବନ ବିଭାଗ ନିକଟରେ ଖବର ରହିଥିଲେ ମଧ୍ୟ ଏଯାବତ୍‌ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ରେଳ ଲାଇନ ଧାରଣାରେ ଦନ୍ତା ରାତି ସାରା ଛଟପଟ ହୋଇ ଶେଷରେ ସକାଳୁ ଜୀବନ ହାରିଛି। ସକାଳେ ସ୍ଥାନୀୟ ଲୋକେ ହାତୀ ଗୁରୁତର ଥିବା ବନ ବିଭାଗକୁ ଜଣାଇବା ସତ୍ତ୍ବେ ବନ ବିଭାଗ ପହଞ୍ଚି ନ ଥିଲେ। ବନ ବିଭାଗର ଦାୟିତ୍ୱହୀନତାରୁ ଦନ୍ତାର ଜୀବନ ଗଲା ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି।