ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି ଦନ୍ତାହାତୀ ଗତ କିଛିଦିନ ହେଲା ଆତଙ୍କ ସୃଷ୍ଟି କରିଛି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ଗ୍ରାମ ମଧ୍ୟରେ ପଶି ଏଣେତେଣେ ଘୁରି ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।
ତିନିଦିନ ପୂର୍ବେ ଗୁଣ୍ଡିରିବାଡ଼ି ପଞ୍ଚାୟତର ଚାଉଳ ଗୋଦାମ ଗୋଟିଏ ହାତୀ ଭାଙ୍ଗି ଚାଉଳ ନଷ୍ଟ କରିଥିଲା। ବୁଧବାର ରାତିରେ ଖଣ୍ଡିକୋଟି ଗ୍ରାମରେ ପଶି ଦୀର୍ଘ ସମୟ ଧରି ଗାଁରେ ଘୂରି ବୁଲିଥିଲା। ଏହାପରେ ଶୁକ୍ରବାର ପ୍ରତ୍ୟୁଷରେ ଗ୍ରାମରେ ଏକ ଗାଈକୁ ଦଳି ମାରିଦେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସହ ଭୟ ବୃଦ୍ଧି ପାଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହାତୀଟି ଦିନରେ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ସା ଓ ରାତି ସମୟରେ ଗ୍ରାମ ଅଭିମୁଖେ ଆସୁଛି। ଫଳରେ ଲୋକେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଭୟ କରୁଛନ୍ତି ଏବଂ ଘର ଭିତରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ମୃତ ଗାଈଟି ସମିତିସଭ୍ୟ ଶ୍ରୀନିବାସ ବିଶ୍ୱାଳଙ୍କ।
ସୂଚନାଯୋଗ୍ୟ, କିଛି ମାସ ପୂର୍ବେ କନ୍ଧମାଳ ଜିଲାରେ ଏକୁଟିଆ ବୁଲୁଥିବା ଏକ ହାତୀ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଥିବା ଘଟଣା ଘଟିଥିଲା। ବର୍ତ୍ତମାନ ମୁଜାଗଡ଼ ରେଞ୍ଜ ଅଞ୍ଚଳରେ ଘୂରି ବୁଲୁଥିବା ହାତୀଟି ସେହି ହାତୀ ହୋଇଥାଇପାରେ ବୋଲି କେତେକ ସ୍ଥାନୀୟ ଲୋକ ଆଶଙ୍କା କରୁଛନ୍ତି। ତେବେ ଏହାର ସତ୍ୟତା ବନ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନାହିଁ।
ହାତୀଟି ଗ୍ରାମ ମଧ୍ୟକୁ ବାରମ୍ବାର ପ୍ରବେଶ କରୁଥିବାରୁ ଆଗକୁ ହାତୀ-ମଣିଷ ସଂଘର୍ଷର ଆଶଙ୍କା ଦେଖାଦେଇଛି। ତେଣୁ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ହାତୀଟିକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଗତକାଲି ରାତିରେ ଉକ୍ତ ଦନ୍ତା ହାତୀ ଜଙ୍ଗଲରେ ଥିବା ଦେଶୀ ମଦ ପୋଚ ପିଇଥିବା ଆଶଙ୍କା କରାଯାଉଛି । ଏହାପରେ ଦନ୍ତା ଗାଈ ଗୁହାଳ ମଧ୍ୟରେ ପଶି ଗୋଟିଏ ଗାଈକୁ ଦଳି ଦେଇଥିଲା। ଫଳରେ ଭୟରେ ଅନ୍ୟ ଗାଈ ବାଛୁରି ରଶି ଛିଣ୍ଡାଇ ଜଙ୍ଗଲକୁ ଚାଲି ଯାଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Dharitri – Odisha’s No.1 Odia Daily

Share