ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ: ବନ୍ଧା ହେଲେ ୩ ଶିକାରୀ

ବଇଣ୍ଡା,୨୭।୧୦: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ବନ୍ୟଯନ୍ତୁ ଶିକାରରେ ସମ୍ପୃକ୍ତ ଥିବା ୪ଜଣ ଶିକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି।

ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ଅଭିଯୁକ୍ତଙ୍କ ନାମ ବିଭାଗ ପକ୍ଷରୁ ଗୋପନ ରଖାଯାଇଛି। ମିଳିଥିବା ସୂଚନା ମୁତାବକ, ଝିଲ୍ଲୀମୁଣ୍ଡା ଦେଇ ପାଇକସାହି ଅଞ୍ଚଳକୁ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି । ଏହି ତାରରେ ପ୍ରତ୍ୟେକ ଦିନ ଫାଶ ବସାଇ ବାର୍‌ହା ଶିକାର କରାଯାଉଛି। ବନ ବିଭାଗର ଉଦାସୀନତା ଯୋଗୁ ଶିକାରୀମାନେ ନିର୍ଭୟରେ ଶିକାର କରୁଥିବା ବେଳେ ସୋମବାର ସକାଳେ ଉକ୍ତ ୪ ଜଣ ଶିକାରୀ ଝିଲ୍ଲୀମୁଣ୍ଡା ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍‌ ତାରରେ ହୁକ୍‌ ପକାଇ ବାର୍‌ହା ଶିକାର କରିବା ପାଇଁ ବିଦ୍ୟୁତ୍‌ ଫାଶ ବସାଇଥିଲେ। ହେଲେ ଉକ୍ତ ଫାଶରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା।

ଖବର ଜଣାପଡିବା ପରେ ଆଠମଲ୍ଲିକ ଡିଏଫ୍‌ଓ ସନ୍ତୋଷ କପୁଲା, ହଣ୍ଡପା ରେଞ୍ଜର ମିନତୀ ନାୟକ, ଫରେଷ୍ଟର ଆଲୋକ ମିଶ୍ର, ଲିଙ୍ଗରାଜ ବେହେରା, ଅଞ୍ଜଳି ବେହେରା, ଅନୁପମା ନାୟକ, ପି ପ୍ରିତିଶ ରଞ୍ଜନ, ଅନ୍ତଜ୍ୟାମି ସାହୁଙ୍କ ସହ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହାତୀର ମୃତଦେହ ଜବତ କରିଥିଲେ।

କିଶୋରନଗର ବ୍ଲକ ଅତିରିକ୍ତ ପ୍ରାଣୀଧନ ଚିକିତ୍ସା ଅଧିକାରୀ ବିଜ୍ଞା ବୈଦେନ୍ତିକl, ଆଠମଲ୍ଲିକ ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ସରିତା ବେହେରା, ଠାକୁର ଗଡ଼ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଲିପ୍ସା ଲିନା ତ୍ରିପାଠୀ ପ୍ରମୁଖ ପହଞ୍ଚି ହାତୀର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ହାତୀକୁ ପୋତି ଦିଆଯାଇଥିଲା। ଅନ୍ୟପକ୍ଷେ ବନ ବିଭାଗ ପକ୍ଷରୁ ଗିରଫ ଶିକାରୀଙ୍କୁ ହଣ୍ଡପା ରେଞ୍ଜ କାର୍ଯ୍ୟଳୟକୁ ଆଣି ପଚରାଉଚରା କରୁଥିବା ଜଣାପଡିଛି।

Share