ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ଘଟଣା: ଗୁଆଲି ଫରେଷ୍ଟର, ଫରେଷ୍ଟଗାର୍ଡ ନିଲମ୍ବିତ

କେନ୍ଦୁଝର,୧୧ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଗୁଆଲି ସେକ୍ସନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଏକ ୪ ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଗୁଆଲି ଫରେଷ୍ଟର ବିଦ୍ୟାଧର ବେହେରା ଏବଂ ରୁଗୁଡି ଫରେଷ୍ଟଗାର୍ଡ ସରୋଜ ନାୟକଙ୍କୁ କେନ୍ଦୁଝର ଡିଏଫ୍‌ଓ ନିଲମ୍ବିତ କରିଛନ୍ତି।
ହାତୀ ଶାବକର ମୃତ୍ୟୁ ହେବା ନେଇ ବିଳମ୍ବରେ ଜାଣିବା ଏବଂ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିବା ଡିଏଫ୍‌ଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି। ୧୫ ଦିନ ପୂର୍ବେ ଛୁଆ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାତୀଛୁଆଟି ମରି ସମ୍ପୂର୍ଣ୍ଣ ପଚିଯାଇଥିବାବେଳେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ କିପରି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।