Categories: ମେଟ୍ରୋ

ଓଡ଼ିଶାରେ ହାତୀ ଶିକାର ସର୍ବାଧିକ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଭାରତରେ ୬୦% ଏସିଆନ ହାତୀ ଅଛନ୍ତି। ଏମାନଙ୍କ ସୁରକ୍ଷା କେବଳ ସରକାର ନୁହେଁ, ଷ୍ଟେକ୍‌ ହୋଲ୍ଡର ଓ ଜନସାଧାରଣ ମିଳିମିଶି କରିବା ଉଚିତ। ନ ହେଲେ ଆଗକୁ ହାତୀ ବଂଶ ଲୋପ ପାଇଯିବ ବୋଲି ଅନ୍ତର୍ଜତୀୟ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଭଏସ୍‌ ଫର୍‌ ଏସିଆ ଏଲିଫାଣ୍ଟ ସୋସାଇଟିର ପ୍ରତିଷ୍ଠାତା ସଙ୍ଗୀତା ଆୟାର କହିଛନ୍ତି। ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ମିଡିଆ କନ୍‌କ୍ଲେଭ୍‌ରେ ସଙ୍ଗୀତା ଯୋଗଦେଇ ହାତୀ ମୃତ୍ୟୁ କିପରି ରୋକାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଏ କ୍ଷେତ୍ରରେ ଗଣମାଧ୍ୟମର କ’ଣ ଭୂମିକା ରହିବା ଦରକାର ସେ ସମ୍ପର୍କରେ କହିଥିଲେ। ଓଡ଼ିଶାରେ ହାତୀ ମୃତ୍ୟୁ ବଢ଼ୁଥିବାରୁ ଉଦ୍‌ବେଗ ପ୍ରକାଶ କରି ସେ କହିଲେ, ଓଡ଼ିଶାରେ ହାତୀ ଶୀକାର ଯେତିକି ହେଉଛି ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ହେଉନାହିଁ। ବିଭିନ୍ନ ଉଦାହରଣ ଦେଇ ସେ କହିଲେ, ହାତୀ ଆମକୁ ଜୀବନ ଦେଉଛି, କିନ୍ତୁ ହାତୀର ଜୀବନକୁ ଆମେ ନଷ୍ଟ କରୁଛେ। ଜଙ୍ଗଲରେ ବାସସ୍ଥଳୀ ଓ ଖାଦ୍ୟପେୟର ଅଭାବ ଯୋଗୁ ଆଜି ହାତୀ ଜନବସତି ମୁହାଁ ହେଉଛି। ଫଳରେ ହାତୀ ମଣିଷ ଲଢ଼େଇ ବଢ଼ିବାରେ ଲାଗୁଛି। ଏଥିରେ ଉଭୟ ମଣିଷ ଓ ହାତୀର କ୍ଷତି ହେଉଛି। କେତେବେଳେ ମଣିଷ ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। କିନ୍ତୁ ମଣିଷର ମୃତ୍ୟୁ ହେଲେ ଆମେ ବ୍ୟଥିତ ହେଉଥିବା ବେଳେ ହାତୀ ମରିଗଲେ ତା’ ପାଇଁ କାହାର ସ୍ବର ବାହାରୁ ନାହିଁ। ତେଣୁ ଆମକୁ ହାତୀ ପାଇଁ ସ୍ବର ଉଠାଇବାକୁ ପଡ଼ିବ। ଏଠି ଗଣମାଧ୍ୟମର ଭୂମିକା ବଡ଼ ବୋଲି ସଙ୍ଗୀତା ଗୁରୁତ୍ୱାରୋପ କରିଥିଲେ। ହାତୀର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରିଥିବା ଭଏସ୍‌ ଫର୍‌ ଏସିଆ ଏଲିଫ୍ୟାଣ୍ଟ ସୋସାଇଟି ଏବଂ ଓଡ଼ିଶାର ‘ପରିବର୍ତ୍ତନ’ ଅନୁଷ୍ଠାନ ମିଳିତ ଭାବେ ଏବେ କାର୍ଯ୍ୟ କରିବା ଆରମ୍ଭ କରିଥିବା ସଙ୍ଗୀତା କହିଥିଲେ। ହାତୀଙ୍କ ଖାଦ୍ୟ ପାଇଁ ବାଲେଶ୍ୱରର କିଛି ସ୍ଥାନରେ ଚାରା ରୋପଣ କରାଯାଇଥିବାବେଳେ ହାତୀ ଚଲାପଥକୁ ଜନସାଧାରଣଙ୍କ ଅବଗତ ନିମନ୍ତେ ଢେଙ୍କାନାଳର ୧୬ଟି ସ୍ଥାନରେ ସାଇନ୍‌ ବୋର୍ଡ ଲଗାଯାଇଥିବା ସୂଚନା ସେ ଦେଇଥିଲେ। ଏହି ଅବସରରେ ପରିବର୍ତ୍ତନର ଚେୟାରମ୍ୟାନ ସୁଧାଂଶୁ ମୋହନ ଦାସ ସ୍ବାଗତ ଭାଷଣରେ ହାତୀ-ମଣିଷ ସମ୍ପର୍କକୁ ନେଇ ମତ ରଖିଥିଲେ। ଓ୍ବାଇଲ୍ଡଲାଇଫ୍‌ ବାୟୋଲୋଜିଷ୍ଟ ପ୍ରକାଶ ମର୍ଦ୍ଦରାଜ ଦୁଇଟି ସଂସ୍ଥା କିପରି ମିଳିତ ଭାବେ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଛନ୍ତି, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଆଗକୁ ମଧ୍ୟ ହାତୀ ସୁରକ୍ଷା ପାଇଁ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଥିଲେ। ପରିବର୍ତ୍ତନର ସେକ୍ରେଟେରୀ ଶୁଭ୍ରାଂଶୁ ଭୂଷଣ ସ୍ବାଇଁ ଓଡ଼ିଶାରେ ହାତୀ ସୁରକ୍ଷା କିପରି କରାଯାଇପାରିବ ଏବଂ ଆଗକୁ କ’ଣ ପଦକ୍ଷେପ ନିଆଯିବ ସେ ବିଷୟରେ କହିଥିଲେ।