ମାର୍ଶାଘାଇ, ୨୭।୧୦ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟାଟା ପାୱାର କମ୍ପାନୀର ଫ୍ରାଞ୍ଚାଇଜି ସଂସ୍ଥା ଅଧୀନରେ ହେଲପର ଭାବେ କାର୍ଯ୍ୟରତ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କାର୍ଯ୍ୟକ୍ଷେତ୍ରରେ ଅସୁସ୍ଥ ହୋଇ ମୃତ୍ୟୁ ଘଟିବା ପରେ, ଉତ୍ତ୍ୟକ୍ତ ପରିବାର ଲୋକ ଓ ଗ୍ରାମବାସୀ ମାର୍ଶାଘାଇ ଟାଟା ପାୱାର ଅଫିସ୍ ସମ୍ମୁଖ ମୁଖ୍ୟ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଛନ୍ତି। ମୃତ କର୍ମଚାରୀ ଜଣକ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମର ଶୁଭ୍ରକାନ୍ତ ବିଶ୍ୱାଳ (୪୫)।
ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୨ଟା ସମୟରେ ଶୁଭ୍ରକାନ୍ତ ସ୍ଥାନୀୟ ଦରବଛା ଗ୍ରାମ ନିକଟସ୍ଥ ଫାୟାର ଷ୍ଟେସନ ନିକଟରେ ବିଦ୍ୟୁତ୍ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ପ୍ରଥମେ ମାର୍ଶାଘାଇ ଏବଂ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ମୃତକଙ୍କ ସାନ ଭାଇ ନରେଶ ବିଶ୍ୱାଳ ମାର୍ଶାଘାଇ ଥାନାରେ ଆନୁଷ୍ଠାନିକ ଅଭିଯୋଗ କରିଛନ୍ତି।
ସନ୍ଧ୍ୟାରେ ମୃତଦେହ ବ୍ୟବଚ୍ଛେଦ (Post-Mortem) ଶେଷ ହୋଇ ମୃତଦେହ ଗାଁକୁ ଆସିବା ପରେ, ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ମାର୍ଶାଘାଇ ଟାଟା ପାୱାର ଅଫିସ୍ ଆଗ ମୁଖ୍ୟ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ମାର୍ଶାଘାଇ ଥାନା ଏସ୍ଆଇ (SI) ଧରିତ୍ରୀ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ବୁଝାଶୁଝା କରିବା ଏବଂ ଆବଶ୍ୟକ ପଦକ୍ଷେପର ଆଶ୍ୱାସନା ଦେବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଥିଲେ।