ଲକ୍‌ଡାଉନ ପରେ ବଢ଼ିଛି ବିଦ୍ୟୁତ୍‌ ରାଜସ୍ବ

ଭୁବନେଶ୍ୱର ୨୬।୯(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ବିଦ୍ୟୁତ୍‌ ରାଜସ୍ବ ସଂଗ୍ରହ ବୃଦ୍ଧି ପାଇଛି। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରି ଏହା କହିଛନ୍ତି। ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ସମସ୍ତ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ବିଦ୍ୟୁତ୍‌ ବ୍ୟବହାର ବୃଦ୍ଧି ପାଇଛି। ଏହାସହ ରାଜସ୍ବ ଆଦାୟରେ ମଧ୍ୟ ଉନ୍ନତି ଘଟିଛି। ଶିଳ୍ପ ବିଭାଗ ସହିତ ଆଲୋଚନା କରି ରାଜସ୍ବ ଆଦାୟଜନିତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ କ୍ୟାପ୍‌ଟିଭ୍‌ ପାଓ୍ବାର ପ୍ଲାଣ୍ଟରେ ଆର୍‌ଟି-ଡିଏଏସ୍‌ ସ୍ଥାପନ ଖୁବ୍‌ଶୀଘ୍ର କରାଯିବାକୁ ସେ ବିଦ୍ୟୁତ୍‌ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିବା ବିଦ୍ୟୁତ୍‌ ଦୁର୍ଘଟଣାଗୁଡ଼ିକର କ୍ଷତି ପୂରଣ ବାବଦରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଘଟୁଥିବା ଦୁର୍ଘଟଣାରୁ ୯୦ ପ୍ରତିଶତ ମନୁଷ୍ୟକୃତ ତ୍ରୁଟି ପାଇଁ ହେଉଛି। ଭବିଷ୍ୟତରେ ଏହାକୁ ହ୍ରାସ କରିବା ଦିଗରେ ଅଧିକ ଯତ୍ନବାନ ହେବାକୁ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତି ସେକ୍‌ସନ୍‌, ସବ୍‌ଡିଭିଜନ୍‌, ଡିଭିଜନରେ ସେଲ୍‌ ଖୋଲାଯାଇ ବିଦ୍ୟୁତ୍‌ ବ୍ୟବହାର ବେଳେ ସୁରକ୍ଷା ପ୍ରତି ଧ୍ୟାନ ଉପରେ ଜନସଚେତନତା ସୃଷ୍ଟି କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।