ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୭ ଦିନ ଧରି ଗ୍ରାମରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ପ୍ରତିବାଦରେ ଉତ୍ତେଜିତ ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ୍ ସବଷ୍ଟେସନ ଷ୍ଟ୍ରକଚରରେ ତାଲା ପକାଇ ଧାରଣାରେ ବସିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଜ୍ରପାତ ଯୋଗୁ ଆଡ଼ପଡା ଗ୍ରାମର ମୁଖ୍ୟ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା। ଫଳରେ ଗତ ଏକ ସପ୍ତାହ ହେବ ଗାଁର ୪ଟି ସାହିର ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ପରିବାର ଅନ୍ଧାରରେ ରହିଛନ୍ତି। ଏହି ପ୍ରଚଣ୍ଡ ଗୁଳୁଗୁଳି ଓ ଅସହ୍ୟ ଗରମରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ବିଦ୍ୟୁତ୍ ବିଭାଗ ପକ୍ଷରୁ ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ବିଭାଗୀୟ ଉଦାସୀନତାରେ ଅତିଷ୍ଠ ହୋଇ ଗାଁ କମିଟି କାର୍ଯ୍ୟକର୍ତ୍ତା ଅରୁଣ ରାଉତ, ମୁରଲୀ ପ୍ରଧାନ, ମିଥୁନ ପ୍ରଧାନ, ନରୁସୁ ପ୍ରଧାନ, ମଙ୍ଗୁଳୁ ପୃଷ୍ଟି ଓ ଉମା ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ସବଷ୍ଟେସନ କାର୍ଯ୍ୟାଳୟ ଘେରାଉ କରିବା ସହ ସେଠାରେ ତାଲା ପକାଇ ଦେଇଥିଲେ। ତୁରନ୍ତ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ସେମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ଶେରଗଡ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ସିଲାଭିତ୍ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସବଷ୍ଟେସନରେ ତାଲା ପଡ଼ିବା କାରଣରୁ ପ୍ରାୟ ୫ଟି ପଞ୍ଚାୟତ ଅଧୀନରେ ଥିବା ଅନେକ ଗ୍ରାମ ଅନ୍ଧାରରେ ରହିଛି। ଗ୍ରାମବାସୀ ଆଇନକୁ ହାତକୁ ନେବା ଉଚିତ୍ ନୁହେଁ।
ତେବେ ଗ୍ରାମବାସୀଙ୍କ ଆକ୍ରୋଶକୁ ଦେଖି ବିଳମ୍ବିତ ସନ୍ଧ୍ୟାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗ୍ରାମକୁ ଏକ ନୂତନ ଟ୍ରାନ୍ସଫର୍ମର ପଠାଯାଇଛି। ବିଭାଗୀୟ କର୍ମଚାରୀମାନେ ସେଠାରେ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ଏବଂ ବିଳମ୍ବିତ ରାତି ସୁଦ୍ଧା ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହେବ ବୋଲି ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।