ଛତ୍ରପୁର, ୮।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବହୁଦିନର ଅପେକ୍ଷା ପରେ ଶନିବାର ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳରେ ଟିପିଏସ୍ଓଡିଏଲ୍ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଯାଇଛି।
ଏହାସହ ଛତ୍ରପୁର ପୌରପରିଷଦର ବିଭିନ୍ନ ପ୍ରମୁଖ କାର୍ଯ୍ୟାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯାଇଥିବା ଟିପିଏସ୍ଓଡିଏଲ୍ର କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ଶତପଥୀ ସୂଚନା ଦେଇଛନ୍ତି।
ଏହାଛଡ଼ା ସହରର ଚଣ୍ଡି ଛକଠାରୁ ଦାସରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏବଂ ଚଣ୍ଡି ଛକଠାରୁ କାରିଣୀ ସାହି ପର୍ଯ୍ୟନ୍ତ ୧୧ କେଭି କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯାଇଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ଶତପଥୀ କହିଛନ୍ତି। ଉକ୍ତ ଭୂତଳ କେବୁଲ ବ୍ୟବସ୍ଥା ଏସ୍ଡିଏମ୍ଏଫ୍-୧ ଓ ୨କୁ ସଂଯୋଗ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩.୪ କିଲୋମିଟର ଲମ୍ବା କେବୁଲ ବିଛାଯାଇଛି। ଏହା ମଧ୍ୟରେ ୬ଟି ଆର୍ଏମ୍ୟୁ ରହିଛି। ଏହା ମାଧ୍ୟମରେ ବିଦ୍ୟୁତ ସେବା ପରିଚାଳନା କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଛତ୍ରପୁର ପୌରପରିଷଦର ସମସ୍ତ ଅଞ୍ଚଳରେ ଏହି ଭୂତଳ କେବୁଲ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଟିପିଏସ୍ଓଡିଏଲ୍ ପକ୍ଷରୁ କୁହାଯାଇଛି।