ରାୟଗଡ଼ା,୨୯।୧:(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ମଧ୍ୟବିତ ଲୋକ ଘରେ ସ୍ମାର୍ଟ ମିଟର ଲଗାଇ ଦୁଇରୁ ତିନି ମାସ ଅଧିକା ସମୟ ବିଲ୍ ବକେୟା ରହିଲେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାର ଧମକ ଦିଆଯାଉଛି ନଚେତ୍ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଉଛି । ସ୍ମାର୍ଟ ମିଟର କାରଣରୁ ବିନା ନୋଟିସ୍ରେ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଉଛି । ହେଲେ ସରକାରୀ ବିଭାଗମାନଙ୍କରେ କୋଟି କୋଟି ଟଙ୍କା ବିଲ୍ ବକେୟା ରହିଥିଲେ ମଧ୍ୟ ତାହା ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ନଜିରକୁ ଆସିଛି । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲାର ୨୫ଟି ବିଭାଗରେ ମୋଟ ୩କୋଟି ୫ଲକ୍ଷ ୪୨ହଜାର ୫୨୬ଟଙ୍କା ବିଦ୍ୟୁତ ବିଲ୍ ପୈଠ ହୋଇନଥିବା ଜଣାପଡ଼ିଛି ।
ମିଳିଥିବା ତଥ୍ୟ ମୁତାବକ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସର୍ବାଧିକ ୧କୋଟି ୨୫ଲକ୍ଷ ୯୮ହଜାର ୮୦୦ ଟଙ୍କା ବିଦ୍ୟୁତ ବିଲ ବକେୟା ରହିଥିବା ବେଳେ ଲେବର ଏବଂ ଏମ୍ପେ୍ଲାଇଜ ଷ୍ଟେଟ ଇନସୁରାନ୍ସ ବିଭାଗରେ ୧୧ହଜାର ୯୪୮ଟଙ୍କା ବିଲ୍ ବକେୟା ରହିଛି । ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗର ୪୯ଲକ୍ଷ ୪୩ହଜାର ୨୧୩ ଟଙ୍କା, ଅନୁସୂଚିତ ଜନଜାତି ଓ ଅନସୂଚିତ ଜାତି ବିଭାଗର ୩୬ଲକ୍ଷ ୧୨ହଜାର ୬୬୮ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗର ୨୮ଲକ୍ଷ, ୫୦ହଜାର ୮୪୬ଟଙ୍କା, ପଂଚାୟତିରାଜର ଅନ୍ୟ ବିଭାଗର ୧୬ଲକ୍ଷ, ୭୧ହଜାର ୩୨୭ଟଙ୍କା, ସ୍ୱାସ୍ଥ୍ୟ ପରିବାର ବିଭାଗର ୧୦ଲକ୍ଷ ୪୬ହଜାର ୭୮ଟଙ୍କା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ୫ଲକ୍ଷ ୬୬ହଜାର ୯୬୮ଟଙ୍କା, ପବ୍ଲିକ ଏଂଟରପ୍ରାଇଜେସର ୪ଲକ୍ଷ୩୦ହଜାର ୬୧୬ଟଙ୍କା, କେନ୍ଦ୍ର ସରକାରଙ୍କ ୨ଲକ୍ଷ ୮୫ହଜାର ୯୦୩ଟଙ୍କା, ମହିଳା ଓ ଶିଶୁ ବିକାଶ ବିଭାଗର ୨ଲକ୍ଷ ୬୨ହଜାର ୩୭୪ଟଙ୍କା, ଉଚ୍ଚ ଶିକ୍ଷା ବିଭାଗର ୨ଲକ୍ଷ ୩୭ହଜାର ୧୬୫ଟଙ୍କା, ବନ ବିଭାଗର ୨ଲକ୍ଷ ୨୮ହଜାର ୮୫୪ଟଙ୍କା, ଗ୍ରାମ୍ୟ ନିର୍ମାଣ ବିଭାଗର ୧ଲକ୍ଷ ୮୧ହଜାର ୪୭୧ଟଙ୍କା, କ୍ରୀଡ଼ା ବିଭାଗର ୧ଲକ୍ଷ ୨୭ହଜାର ୩୭୭ଟଙ୍କା, ବାଣିଜ୍ୟ ଓ ପରିବହନ ବିଭାଗର ୯୭ହଜାର ୫୪ଟଙ୍କା, କୃଷି ବିଭାଗର ୮୯ହଜାର ୭୩୯ଟଙ୍କା, ଅବକାରୀ ବିଭାଗର ୩୯ହଜାର ୫୪୧ଟଙ୍କା ବିଲ୍ ସମେତ ଅନ୍ୟ ବିଭାଗ ମାନଙ୍କର ମଧ୍ୟ ବିଲ୍ ବକେୟା ରହିଛି ।
ତେବେ ଗୋଟିଏ ବେସରକାରୀ ବାଣିଜ୍ୟିକ ପ୍ରତିଷ୍ଠାନରେ ମାତ୍ର ୯୦୦ରୁ ୧୦୦୦ ଟଙ୍କା ବକେୟା ରହିଥିଲେ ସ୍ମାର୍ଟ ମିଟର ସହାୟତାରେ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଉଛି ହେଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବାକି ଥିବା ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଦ୍ୟୁତ କାହିଁକି ବିଚ୍ଛିନ୍ନ କରାଯାଉନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏନେଇ ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ ହେଁ ସମ୍ଭବପର ହୋଇପାରିନାହିଁ ।

