ନିର୍ବାଚନ ହେବ,ଫଳ ଘୋଷଣା ହେବନି: ହାଇକୋର୍ଟ

ହାଟଡିହୀ,୩।୪(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ୧୧ା୩ା୨୨ରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥି ମଧ୍ୟରୁ ୨୮ ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢା ଓ ମରୈଗଁା ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା ହୋଇଥିଲା। କିନ୍ତୁ ହାବଳେଶ୍ୱର ପଞ୍ଚାୟତ ଅଧୀନ ୧୭ ୱାର୍ଡରୁ ୧୬ ଟିରେ ୱାର୍ଡ ମେମ୍ବର ନିର୍ବାଚନ ହୋଇଥିଲା l ସଂରକ୍ଷଣ ଦୃଷ୍ଟିରୁ ୧୫ନମ୍ବର ୱାର୍ଡରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ହୋଇ ନ ଥିଲା l କେବଳ ୧୬ନଂ. ଓ୍ବାର୍ଡମେମ୍ବର ଚାନ୍ଦ ମୁଣ୍ଡା ନାଏବ ସରପଞ୍ଚ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ୧୦ ଜଣ ୱାର୍ଡ ମେମ୍ବର ପ୍ରୋସିଡିଂ ରେଜିଷ୍ଟରରେ ଦସ୍ତଖତ କରିଥିଲେ। ଫଳରେ ଚାନ୍ଦ ମୁଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରିଜାଇଡିଂ ଅଫିସର ଥିବା ଶିକ୍ଷକ ଶିଶିର ନାୟକ ପ୍ରୋସିଡିଂ ରେଜିଷ୍ଟରରେ ୧୧ା୩ା୨୨ରେ ଉଲ୍ଲେଖ ସହ ଘୋଷଣା କରିଥିଲେ। କିନ୍ତୁ ବ୍ଲକ ପ୍ରଶାଶନ ପକ୍ଷରୁ ହାବଳେଶ୍ୱର ପଞ୍ଚାୟତରେ କୋରମ୍‌ ଅଭାବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରୁ ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ ରହିବା ନେଇ ଚିଠି ନଂ ୯୯୫/୧୧ା୩ା୨୦୨୨ ରେ ପୁନର୍ବାର ନୋଟିସ ଜାରି ହୋଇଥିଲା। ପୁନଶ୍ଚ ଚିଠି ନଂ. ୧୧୪୯/୩୧ା୩ା୨୦୨୨ରେ ବ୍ଲକ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଗଲା ଯେ, ୨ା୪ା୨୦୨୨ ରେ ନାଏବ ସରପଞ୍ଚ ନିର୍ବାଚନ ହେବ ା ପ୍ରିଜାଇଡିଂ ଅଫିସର ଭାବେ ପିଇଓ ନରହରି ନାୟକଙ୍କୁ ବ୍ଲକ ତରଫରୁ ନିଯୁକ୍ତ କରାଗଲା। ମାତ୍ର ହାବଳେଶ୍ୱର ପଞ୍ଚାୟତର ୧୬ ଜଣ ଓ୍ବାର୍ଡମେମ୍ବରରୁ କେହି ଉକ୍ତ ନିର୍ବାଚନରେ ସାମିଲ ହୋଇ ନ ଥିଲେ। ଅପର ପକ୍ଷରେ ଏପରି ଆଦେଶନାମା ବିରୋଧରେ ଚାନ୍ଦ ମୁଣ୍ଡା ୨୫ା୩ା୨୨ରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେସ୍‌ ନଂ. ଡବ୍ଲ୍ୟୁପିସି ୭୮୩୫/୨୦୨୨ରେ ମକଦ୍ଦମା ଦାଏର କରିଥିଲେ।
ଏଥିରେ କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ, ଜିଲା ପଞ୍ଚାୟତ ଅଧିକାରୀ,ହାଟଡିହୀ ବିଡ଼ିଓଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ୨୯ା୩ା୨୦୨୨ ନୋଟିସ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି, ନାଏବ ସରପଞ୍ଚ ନିର୍ବାଚନ ହୋଇପାରେ କିନ୍ତୁ ଫଳାଫଳ ପ୍ରକାଶ ନ ହେବାକୁ ଆଦେଶ ଦେଇଛନ୍ତି l