ନିର୍ବାଚନୀ ହିଂସାକୁ ନେଇ ବିଧାନସଭାରେ ହଙ୍ଗାମା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡ ହୋଇଛି। ବୁଥ୍‌କୁ ଜବରଦସ୍ତି ପ୍ରବେଶ କରିବା, ଷ୍ଟ୍ରଙ୍ଗ୍‌ରୁମ୍‌କୁ ସରକାରୀ ଅଧିକାରୀ ଛଦ୍ମବେଶରେ ଯିବା, ଆଇନଶୃଙ୍ଖଳା ଓ ନିର୍ବାଚନ ହିଂସାକାଣ୍ଡକୁ ନେଇ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ହଙ୍ଗାମା କରିଛନ୍ତି। ଫଳରେ ବିଧାନସଭାର ପ୍ରଶ୍ନକାଳ ବରବାଦ ହୋଇଯାଇଥିଲା। କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ। ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଭୁବନେଶ୍ୱର, ନୟାଗଡ଼, ବଲାଙ୍ଗୀର ଆଦି ସ୍ଥାନରେ ହିଂସାକାଣ୍ଡ ହୋଇଥିବା ବେଳେ ପୋଲିସର ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ବଲାଙ୍ଗୀର ମ୍ୟୁନିସିପାଲିଟିରେ ଇଭିଏମ୍‌ରେ କଂଗ୍ରେସ ପାର୍ଟି ଚିହ୍ନ ଉପରେ ଷ୍ଟିକର ମାରି ଦିଆଯାଇଥିଲା। ଗୁଣ୍ଡାମାନଙ୍କୁ ଧରି ବୁଥ୍‌ ଭିତରକୁ ଯାଉଛନ୍ତି । ତାଙ୍କୁ ଦେଖି ଭୋଟରମାନେ ଭୟଭୀତ ହେଉଛନ୍ତି। ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରଶ୍ନୋତ୍ତର ଆଲୋଚନା କରିବା ପୂର୍ବରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ ବୋଲି ସେ ଦାବି କରିଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ସୁରେଶ ଚନ୍ଦ୍ର ରାଉତରାୟ, ରମେଶ ଜେନା ଓ ଅନ୍ୟ ସଦସ୍ୟମାନେ ହୋହଲ୍ଲା କରିବା ସହ ଗୃହରେ ନାରାବାଜି କରିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ୧୦ଟା ୩୨ ମିନିଟରେ ପୂର୍ବାହ୍ନ ୧୧ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ।