୫୦ ଲକ୍ଷ ଜବତ ନେଇ ନିର୍ବାଚନୀ ଚର୍ଚ୍ଚା

ପିପିଲି,୬।୪ (ଡି.ଏନ୍‌.ଏ./ସ୍ବ.ପ୍ର.):ପିପିଲିର ତରାକାଜ ଓଭରବ୍ରିଜ୍‌ଠାରେ ସୋମବାର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଭାବେ ଚଢ଼ାଉ କରି ଏକ ବାଇକ ସମେତ ନଗଦ ୫୦ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ଘଟଣାରେ ଧରାପଡ଼ିଥିବା ୨ଜଣ ଯୁବକଙ୍କୁ ପିପିଲି ଥାନାରେ ଅଟକ ରଖାଯାଇଛି। ସେମାନେ ଡେଲାଙ୍ଗ ଅଞ୍ଚଳର ବୋଲି ପୋଲିସ କହିଛି। ସମ୍ପୃକ୍ତ ଯୁବକ ଦ୍ୱୟ ଏତେ ଟଙ୍କା କେଉଁଠୁ ଆଣିଲେ, କୁଆଡ଼େ ନେଉଥିଲେ ଆଦି ବିଭିନ୍ନ ବିଷୟରେ ପୋଲିସ ସେମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପିପିଲି ଉପନିର୍ବାଚନରେ ଭୋଟରଙ୍କୁ ଏହି ଟଙ୍କା ବଣ୍ଟାଯିବାକୁ ଅଣାଯାଉଥିଲା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
ସୂଚନା ମୁତାବକ, ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟାହ୍ନରେ ସ୍ଥାନୀୟ ଟୋଲ୍‌ପ୍ଲାଜା ନିକଟରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ଦୁଇଜଣ ଯୁବକ ଏକ ନୀଳରଙ୍ଗର ପଲସର ବାଇକ୍‌ (ଓଆର୍‌ ୧୩ ଜି-୬୬୭୨) ଯୋଗେ ଭୁବନେଶ୍ୱର ଆଡୁ ପିପିଲି ଅଭିମୁଖେ ଆସୁଥିଲେ। ସେମାନେ ପୋଲିସକୁ ଦେଖି ଦ୍ରୁତଗତିରେ ଟୋଲପ୍ଲାଜା ଅତିକ୍ରମ କରି ଚାଲିଯାଉଥିଲେ। ତେବେ ପୋଲିସର ସନ୍ଦେହ ହେବାରୁ ଉକ୍ତ ବାଇକର ପିଛା କରି ତରାକାଜ ଓଭରବ୍ରିଜ ନିକଟରେ ଅଟକାଇବା ସହ ୨ଯୁବକଙ୍କୁ କାବୁ କରିଥିଲା। ପୋଲିସ ସେମାନଙ୍କୁ ତଲାସି କରିବାରୁ ଏକ ବ୍ୟାଗରେ ୨୦ଟି ବଣ୍ଡଲ ହୋଇରହିଥିବା ୫୦ ଲକ୍ଷ ଟଙ୍କା ମିଳିଥିଲା। ପୋଲିସ ଉକ୍ତ ଟଙ୍କା ଓ ବାଇକ୍‌ ଜବତ କରିବା ସହ ଯୁବକ ଦ୍ୱୟଙ୍କୁ ଧରି ଥାନାକୁ ଆଣିଥିଲା। ଖବର ପାଇ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଏବଂ ତହସିଲଦାର ସପନ କୁମାର ନନ୍ଦ ପହଞ୍ଚିଥିଲେ। ଏହି ଟଙ୍କା କେଉଁଠୁ ଓ କାହାପାଖରୁ ଆସିଛି ଏବଂ କେଉଁଠିକୁ ନିଆଯାଉଥିଲା ସେ ନେଇ ଅନୁସନ୍ଧାନ କରାଯାଉଛି ବୋଲି ଏସ୍‌ଡିପିଓ ବରାଳ କହିଛନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ ଅଧିକ କିଛି ତଥ୍ୟ ଦେବାକୁ ସେ ମନା କରିଦେଇଛନ୍ତି।