କୋହଳ ହେଲା ନିର୍ବାଚନୀ କଟକଣା

ଭୁବନେଶ୍ୱର,୭ା୨(ବ୍ୟୁରୋ): ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର, ସଭା ସମିତି ପାଇଁ କଟକଣା ଲାଗୁ ହୋଇଥିଲା। ମାତ୍ର ସୋମବାର ଜିଲାପାଳମାନଙ୍କ ସହ ଏକ ବୈଠକ କରି ରାଜ୍ୟ ନିର୍ବାଚନ କମିଶନ ଏହି କଟକଣାକୁ ଟିକେ କୋହଳ କରିଛନ୍ତି। ପୂର୍ବରୁ ୫ ଜଣଙ୍କୁ ନେଇ ପ୍ରାର୍ଥୀ ଡୋର ଟୁ ଡୋର୍‌ ପ୍ରଚାର କରୁଥିଲେ। ମାତ୍ର ଏବେ ୨୦ ଜଣଙ୍କୁ ନେଇ ଡୋର୍‌ ଟୁ ଡୋର୍‌ ପ୍ରଚାର କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ସେହିପରି ରାଜନୈତିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି। ୩୦୦ ଲୋକଙ୍କୁ ନେଇ ହୋଇପାରିବ ସଭା। ପୂର୍ବଭଳି ବାଇକ୍‌ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି। ଏନେଇ ପ୍ରେସମିଟ୍‌ ଜରିଆରେ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।