Categories: ଗଞ୍ଜାମ

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରକାଶ ପାଇଲା ନିର୍ବାଚନୀ ବିଜ୍ଞପ୍ତି: ୯ରେ ନାମାଙ୍କନ

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ) : ବିଗତ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର ନିର୍ବାଚନ ନେଇ ଖବର ପ୍ରକାଶ ପାଇବା ପରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ସରଗରମ ହୋଇଛି । ବୁଧବାର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କ କାର୍ଯ୍ୟାଳୟରୁ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ଭିତରେ ସମସ୍ତ ପଦପଦବୀ ପାଇଁ ଇଚ୍ଛୁକ ଛାତ୍ରୀଛାତ୍ର ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ସେହିପରି ଆସନ୍ତା ୧୦ ତାରିଖ ଅପରାହ୍ନ ଗୋଟାଏ ଭିତରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ସେହି ଦିନ ଅପରାହ୍ନ ୩ଟା ବେଳେ ଚୁଡାନ୍ତ ନାମାଙ୍କନ ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଆଗାମୀ ୧୪ ତାରିଖରେ ‘ମୁଁ କଣ ପାଇଁ ନିର୍ବାଚନରେ ଛିଡ଼ା ହୋଇଛି’ ବିଷୟ ଉପରେ ଏକ ବୈଠକ ଅନୁଷ୍ଠିତ କରାଯିବ । ଅକ୍ଟୋବର ୧୫ ତାରିଖ ଦିନ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏହାପରେ ୧୫ ତାରିଖ ଅପରାହ୍ନ ୨ଟାରୁ ଭୋଟ ଗଣତି ଆରମ୍ଭ ହୋଇ ପ୍ରାର୍ଥୀଙ୍କ ଫଳାଫଳ ଘୋଷଣା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସର୍ବଶେଷରେ ଆଗାମୀ ୧୬ ତାରିଖରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ ।

 

Dharitri – Odisha’s No.1 Odia Daily

Share