ଆଜି କୋଟିଆରେ ନିର୍ବାଚନ

କୋରାପୁଟ,୧୮ା୨(ସ୍ବ.ପ୍ର.): ଚର୍ଚ୍ଚାରେ ରହି ଆସିଥିବା କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆ ପଞ୍ଚାୟତରେ ଶୁକ୍ରବାର ନିର୍ବାଚନ ହେବ। ଏନେଇ କୋରାପୁଟ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶୁକ୍ରବାର କୋଟିଆ ପଞ୍ଚାୟତର ମାଡକାର, ଫଗୁଣସିନେରି, ରଣାସିଙ୍ଗ, ତାଡ଼ିବାଲସା, ତଳସେମ୍ବି, ଉପରସେମ୍ବି, ବାରାବନ୍ଧ, ଥୁରିଆ, କରଞ୍ଜଗୁଡ଼ା, ଟାଉପଦର, ମାତଲାମ୍ବା, କୋଟିଆ ଓ ଗଞ୍ଜେଇପଦର ଆଦି ୧୩ଟି ସ୍ଥାନରେ ହୋଇଥିବା ବୁଥ୍‌ରେ ୫,୭୯୦ ଭୋଟର ସେମାନଙ୍କ ମତଦାନ କରିବେ। ଏଥିପାଇଁ ଜିଲାପାଳ ଅବଦାଲ ଏମ୍‌. ଅଖତାରଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରସ୍ତୁତି ହୋଇଛି। ନିର୍ବାଚନ ନେଇ ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରୁ ସମସ୍ତ ପୋଲିଂ ପାର୍ଟି ସେମାନଙ୍କ ବୁଥ୍‌ରେ ପହଞ୍ଚତ୍ଛନ୍ତି। କୋଟିଆର ସମସ୍ତ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ା ଜିଲାପାଳ ଅଖତାର ଓ ବିଡିଓ ସୌମ୍ୟ ସାର୍ଥକ ମିଶ୍ର କୋଟିଆ ପଞ୍ଚାୟତର ପାହାଡ଼ ଉପରେ ଓ ପାଦଦେଶରେ ଥିବା ସମସ୍ତ ବୁଥ୍‌ରେ ପହଞ୍ଚତ୍ ସ୍ଥିତି ପରଖିଛନ୍ତି। ସୂଚନାଯୋଗ୍ୟ, ପଟ୍ଟାଙ୍ଗୀ ଜିଲା ପରିଷଦ ଜୋନ୍‌-୧ ଅନ୍ତର୍ଗତ କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ସରପଞ୍ଚ ପଦବୀ ପାଇଁ ୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି।