ବାଲଟ ପେପର ଛଡ଼ାଇନେଲେ ଏଜେଣ୍ଟ, ନିର୍ବାଚନ ବାତିଲ

ଭଦ୍ରକ ଅଫିସ,୨୪ା୨: ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଏଜେଣ୍ଟ ବୁଥ୍‌ରୁ ବାଲଟ ପେପର ଛଡ଼ାଇ ନେବା ପରେ ନିର୍ବାଚନକୁ ବାତିଲ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ପୁନଃ ମତଦାନ କରାଯିବ ବୋଲି ଅତିରିକ୍ତ ପିଡି କୁଶଳ ଚନ୍ଦ୍ର ନାୟକ କହିଛନ୍ତି। ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧା ଆହତ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, କଟସାହି ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ଆଜି ସକାଳେ ମତଦାନ ଚାଲିଥିଲା। ୩୬ ଜଣ ଭୋଟର ଭୋଟ୍‌ ଦେବା ପରେ ଏଜେଣ୍ଟ ଜଣଙ୍କ ବାଲଟ ପେପର ନେଇ ଦୌଡ଼ି ପଳାଇଥିଲେ। ଏହି ସମୟରେ ବୃଦ୍ଧା ଜଣଙ୍କ ଭୋଟ୍‌ ଦେବାକୁ ଠିଆ ହୋଇଥିଲେ। ଏଜେଣ୍ଟ ତାଙ୍କୁ ଠେଲି ଦେଇ ବାଲଟ ପେପର ନେଇ ଚମ୍ପଟ ମାରିଥିଲେ।

ପୋଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଏଜେଣ୍ଟଙ୍କୁ ଧରି ଥାନାକୁ ଆଣିଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।