ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ଉକ୍ତ ବ୍ଲକ ଅଞ୍ଚଳର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉକ୍ତ ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁର ପଞ୍ଚାୟତର କେନ୍ଦୁସାହି ଅସନବଣି ଗ୍ରାମର ଜଗନ୍ନାଥ ସିଂ(୭୦)।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଜଗନ୍ନାଥ ଘର ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ ଏବଂ ହାତୀ ଶୁଣ୍ଢରେ ଜଗନ୍ନାଥଙ୍କୁ ଟାଣି କଚାଡିବା ଫଳରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା। ଜଗନ୍ନାଥଙ୍କୁ ଆଜି ତାଙ୍କ ପରିବାର ଲୋକେ ନପାଇବାରୁ ଖୋଜାଖୋଜି କରିବା ପରେ ଜଗନ୍ନାଥଙ୍କ ମୃତଦେହକୁ ଦେଖିଥିଲେ। ଖବର ପାଇ ରେଞ୍ଜର ଧ୍ରୁବେନ୍ଦ୍ରନାଥ ନାଏକ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲେ। ତେବେ ଜଗନ୍ନାଥଙ୍କ ପରିବାରକୁ ମୋଟ ୧୦ଲକ୍ଷ ଟଙ୍କାର କ୍ଷତି ପୂରଣ ମିଳିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା ଯଥାଶୀଘ୍ର ମିଳିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share