ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ପୁରୁଣାଗଡ ଗ୍ରାମର ଗୋପୀନାଥ ଦାସ (୮୦)। ସେ ଯାତ୍ରୀବାହୀ ବସକୁ ଅପେକ୍ଷା କରିଥିବା ବେଳେ ପାଣି ପାଣି କହି ନିକଟସ୍ଥ ନଳକୂପ ନିକଟକୁ ଦୌଡୁ ଥିବା ବେଳେ ଆକସ୍ମିକ ଭାବେ ରାସ୍ତା ଉପରେ ଟଳି ପଡ଼ିଥିଲେ। ଆଖପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ପାଟପୁର ପୋଲିସକୁ ଖବର ଦେଇଥିଲେ।ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଥାନାରେ ଅପମୃତ୍ୟୁ ମାମଲା ନଂ.୧୦/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖରା ବଢିଥିଲେ ବି ଏବେ ପର୍ଯ୍ୟନ୍ତ ବସଷ୍ଟାଣ୍ଡରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇ ନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀ ବୃନ୍ଦ ଅଭିଯୋଗ କରିଛନ୍ତି।


