ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଛି । ବୃଦ୍ଧା ଜଣକ ନନ୍ଦପୁର ଠାକୁରାଣୀ ମନ୍ଦିରର ପୂର୍ବତନ ପୂଜକ ସ୍ୱର୍ଗତ ଧନୁର୍ଜୟ ଦିଆରିଙ୍କ ସ୍ତ୍ରୀ ଦଇମତି ଦିଆରି (୬୫) ବୋଲି ପରିଚୟ ମିଳିଛି । ସେ ସବୁଦିନ ଭଳି ଆଜି (ସୋମବାର) ଭୋର ପାହାନ୍ତିଆ ସମୟରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ କୂଅରେ ପଡ଼ି ଯାଇଥିଲେ । ଏହାପରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।
ସୂଚନା ପାଇ ନନ୍ଦପୁର ଅଗ୍ନିଶମ ବାହିନୀ କେନ୍ଦ୍ରଧିକାରି ହେମନ୍ତ କୁମାର ସାମଲ, ଅଗ୍ନିଯୋଧ୍ୟା ଥବିର ଭୋଇ, କିରଣ କୁମାର ମହାରଣା, ଜଗନ୍ନାଥ ଦଳାଇ, ଅମିତ୍ କୁମାର ଦାସ, ଅଜୟ ପ୍ରଧାନ ପ୍ରମୁଖ ପହଞ୍ଚି କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ନନ୍ଦପୁର ପୋଲିସକୁ ହସ୍ତାନ୍ତର କରିଥିଲେ। ବୃଦ୍ଧାଙ୍କ ଝିଅ ବାସନ୍ତୀଙ୍କ ଏତଲା କ୍ରମେ ନନ୍ଦପୁର ପୋଲିସ ଥାନା କେସ ନ ୭/୨୦୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ତ୍ରିନାଥ ତୋଟାପାଡିଆ ସୂଚନା ଦେଇଛନ୍ତି ।
ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତକ ବୃଦ୍ଧା ସବୁଦିନ ସକାଳେ ନନ୍ଦପୁର ଗ୍ରାମଦେବୀ ଠାକୁରାଣୀ ମନ୍ଦିର ଓ ବତ୍ରିଶ ସିଂହାସନ କନ୍ଧୁଣି ଦେବୀଙ୍କ ପୂଜା ଅର୍ଚ୍ଚନା ଲାଗି ଫୁଲ ସଂଗ୍ରହ କରୁଥିଲେ। ତେଣୁ ବୃଦ୍ଧାଙ୍କ ମୃତ୍ୟୁରେ ନନ୍ଦପୁର ଅଞ୍ଚଳ ଶୋକାକୁଳ ହୋଇଛି। ନନ୍ଦପୁର ତହସିଲ୍ ପକ୍ଷରୁ ଘଟଣା ସମ୍ପର୍କରେ ଜିଲା ଜରୁରୀ କାଳୀନ ବିଭାଗକୁ ସୂଚନା ଦିଆଯାଇଛି । ରାଜସ୍ବ ନୀରିକ୍ଷକଙ୍କ ତଦନ୍ତ ପରେ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ତହସିଲଦାର ଦେବବ୍ରତ ମହାରଣା ସୂଚନା ଦେଇଛନ୍ତି ।

