ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ ମଙ୍ଗଳବାର କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜିବାକୁ ଉଦ୍ୟମ କରାଯାଇଥିଲେ ହେଁ ରାତ୍ରୀ ହୋଇଯିବାରୁ ଏହା ସମ୍ଭବ ହୋଇନଥିଲା । ବୁଧବାର ଦିନ ୧୧ ଟାରେ କଳାପାଣି ନାଳରୁ ଅଗ୍ନିଶମ ବିଭାଗ ପୋଲିସ ମୃତଦେହ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ ମାଦଳିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଆପଟ(୬୫) ନାମକ ଜଣେ ଚାଷୀ ଚାଷ କାର୍ଯ୍ୟ (ବିହୁଡା)ପାଇଁ ହଳ ବଳଦ ସହିତ ନିଜର ଚାଷ ଜମିକୁ ଯାଇଥିଲେ । ଚାଷ କାର୍ଯ୍ୟ ସାରି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ ସମୟରେ ସେ ଗାଁରେ ଥିବା ଏକ କେନାଲ ପାରିହୋଇ ଘରକୁ ଫେରୁଥିବା ବେଳେ ସେ ଧରିଥିବା ଜିଆଳିଟି କେନାଲ ପାଣିରେ ଭାସିଯାଇଥିଲେ । ପୂର୍ଣ୍ଣଚନ୍ଦ୍ର ଏହାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା କେନାଲର ପ୍ରବଳ ସ୍ରୋତରେ ସେ ଭାସିଯାଇଥିଲେ । ଏହାଦେଖି ଜଣେ ଶିଶୁ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ସୂୂଚନା ଦେବାରୁ ପରିବାର ଲୋକେ ତାଙ୍କୁ କେନାଲ ପାଣିରେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର ସନ୍ଧାନ ମିଳିନଥିଲା । ବୁଧବାର ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।