ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ ପରାୟଣ ହୋଇ ଜଣେ ବୃଦ୍ଧଙ୍କୁ ପ୍ରଥମେ ଠେଙ୍ଗାରେ ପିଟିବା ପରେ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ଗଜପତି ଜିଲ୍ଲାର ମୋହନା ପୋଲିସ। ହତ୍ୟା ଅଭିଯୋଗରେ ଡେକାସିନ୍ଧବା ଗ୍ରାମର ମହେଶ୍ୱର ପାଇକ (୬୦)ଙ୍କୁ ପୋଲିସ ଗିରଫ କରିଛି।

ଗତ ସୋମବାର ଅପରାହ୍ନରେ ମୋହନା ଥାନା ଅନ୍ତର୍ଗତ ଡେକାସିନ୍ଧବା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତ ବଳରାମଙ୍କ ପତ୍ନୀଙ୍କର ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତ ପ୍ରାୟ ଏକ ବର୍ଷ ଧରି ବଳରାମଙ୍କ ସହ ଅଭିଯୁକ୍ତ ମହେଶ୍ୱରଙ୍କ ପତ୍ନୀଙ୍କର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମହେଶ୍ୱର ବାରମ୍ବାର ବିରୋଧ କରିବା ସହ ବଳରାମଙ୍କ ସହ ତାଙ୍କର ଶତ୍ରୁତା ଲାଗି ରହିଥିଲା।

ସୋମବାର ବଳରାମ ଗାଁ ନିକଟସ୍ଥ ରଙ୍ଗମାଟିଆକୁ ମଦ ପିଇବାକୁ ଯାଇ ଫେରୁଥିବା ବେଳେ ରାସ୍ତାରେ ମହେଶ୍ୱରଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ତ୍ୟକ୍ତ ହୋଇ ମହେଶ୍ୱର ଏକ ବାଉଁଶ ଠେଙ୍ଗାରେ ବଳରାମଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ବଳରାମ ତଳେ ପଡ଼ିଯିବା ପରେ ପାଖରେ ପଡ଼ିଥିବା ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ମହେଶ୍ୱର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣା ପରେ ମୋହନା ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗାଁରୁ ଗିରଫ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ନିକଟରେ ବୟାନ ଦେଇଥିବା ଜଣାପଡ଼ିଛି। ଏପରିକି ହତ୍ୟାକାଣ୍ଡ କିପରି ଘଟାଇଥିଲେ, ତାହା ଘଟଣାସ୍ଥଳକୁ ଯାଇ ପୋଲିସ ସମ୍ମୁଖରେ ରିକ୍ରିଏସନ୍ କରି ଦେଖାଇଥିଲେ। ପୋଲିସ ହତ୍ୟାରେ ବ୍ୟବହୃତ ପଥର ଓ ବାଉଁଶ ଠେଙ୍ଗା ଜବତ କରିବା ସହ ଅଭିଯୁକ୍ତ ମହେଶ୍ୱର ପାଇକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

Dharitri – Odisha’s No.1 Odia Daily

Share