ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାର୍ବତ୍ୟାଞ୍ଚଳର ଗୋରଠା ଗ୍ରାମରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ଉଭୟଙ୍କ ଗଣ୍ଡଗୋଳ ହୋଇଥିଲା। ହଠାତ ସାନ ଭାଇ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ବଡଭାଇକୁ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବଡ଼ ଭାଇର ମୃତ୍ୟୁ ହୋଇଥିଲା । ମୃତକ ଜଣକ ଗୁଲଟା ଜାକାସିକା ବୋଲି ଜଣାପଡିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସାନଭାଇ ଆଦୁ ଜାକାସିକା ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।
ଖବରପାଇ ଏସଡିପିଓ ସନ୍ତୋଷୀନି ଓରାମ, ମୁନିଗୁଡା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ, ଏସାଇ ମନୋରଞ୍ଜନ ବିଶ୍ୱାଳ ଓ ହୋମଗାର୍ଡ କମାଣ୍ଡାଣ୍ଟ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ଏହି ଘଟଣାରେ ମୁନିଗୁଡା ଥାନା କେଶ ନମ୍ବର ୧୨୬/୨୬ ରେ ଏକ ମାମଲା ରୁଜୁକରି ହତ୍ୟାକାରୀ ସାନ ଭାଇକୁ ପୋଲିସ ଖୋଜୁଥିବା ସହ ଅଧିକ ତଦନ୍ତ ଆରମ୍ଭ କରିବା ଥିବା ନେଇ ପୋଲିସ ଥାନା ସୁତ୍ରରୁ ଜଣାପଡିଛି ।