‘ଏକ ଦୌଡ ଦେଶ କା ନାମ’

ଭୁବନେଶ୍ୱର,୫।୯ (ବ୍ୟୁରୋ):ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ପାହାଳଠାରେ ‘ଏକ ଦୌଡ ଦେଶ କା ନାମ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏପରିକି ଭାରତୀୟ ଜାତୀୟ ମହିଳା ଉଦ୍ୟୋଗୀ ସଂଗଠନ (ଆଇଏନଡବ୍ଲୁଇସି)ର ଓଡ଼ିଶା ଶାଖା, କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ଏବଂ ୱାରିୟର କ୍ରେଡ ଡିଫେନ୍ସ କ୍ୟାରିୟର ଏକାଡେମୀର ମିଳିତ ଆନୁକୂଲ୍ୟରେ ୫ କି.ମିର ଏକ ଗଣଦୌଡ଼ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଦୈତ୍ୟ ନଗରୀ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, କେନ୍ଦ୍ର ଏମଏସଏମଇ-ଡିଏଫଓ ଯୁଗ୍ମ ଅଧ୍ୟକ୍ଷ କଟକ, ପି.କେ. ଗୁପ୍ତା, ଆଇଏନଡବ୍ଲ୍ୟୁଇସିର ଜାତୀୟ ଆବାହକ ସୁକୀର୍ତ୍ତି ପଟ୍ଟନାୟକ ଏବଂ ରାଜ୍ୟ ଆବାହକ ତନୟା ପଟ୍ଟନାୟକ ଓ ଆର୍ମି ଭେଟେରାନ କ୍ୟାପଟେନ ଚିନ୍ମୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଭଳି ଏକ ଅଭିନବ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ସାଧୁବାଦ ଜଣାଇବା ସହ ପତାକା ଦେଖାଇ ଉକ୍ତ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁକିର୍ତ୍ତୀ ପଟ୍ଟନାୟକ କହିଥିଲେ ନୂଆ ଚିନ୍ତାଧାରାରେ ଗଠିତ ହୋଇଥିବା ୱାରିୟର କ୍ରେଡ ଡିଫେନ୍ସ କ୍ୟାରିୟର ଏକାଡେମୀକୁ ଭବିଷ୍ୟତ ସେନାଧିକାରୀ ସୃଷ୍ଟି କ୍ଷେତ୍ରରେ ପ୍ରଚେଷ୍ଟା ନିମନ୍ତେ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଆଇସିସି ଓ ମହିଳା ଉଦ୍ୟୋଗୀଙ୍କ ପକ୍ଷରୁ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ‘ଭିଜନାରୀ ଲିଡରଶିପ’ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ୫୦ଜଣ ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୱାରିୟର କ୍ରେଡ ଡିଫେନ୍ସ କ୍ୟାରିୟର ଏକାଡେମୀକୁ ଅତିଥିମାନେ ସାଧୁବାଦ ଜଣାଇଥିଲେ।