Categories: ଖେଳ

କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି ଟିମ୍‌ ଇଣ୍ଡିଆର ୮ ଖେଳାଳି

ନୂଆଦିଲ୍ଲୀ,୨୭।୭: ଭାରତୀୟ ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମଙ୍ଗଳବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ସ୍ଥଗିତ କରି ଦିଆଯାଇଛି। ଏହି ମ୍ୟାଚ୍‌ ବୁଧବାର ସମାନ ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ।

ତେବେ କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଥିବା ୮ ଖେଳାଳିଙ୍କୁ ମେଡିକାଲ ଟିମ୍‌ ଚିହ୍ନଟ କରିଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିଯୋଗୁ ମଙ୍ଗଳବାର ପୁଣି ଥରେ ଭାରତୀୟ ଖେଳାଳିଙ୍କ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଖେଳାଳି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। କ୍ରୁନାଲ ଆଇସୋଲେଶନରେ ଥିବା ବେଳେ ଅନ୍ୟ ଖେଳାଳିଙ୍କୁ ମଧ୍ୟ ନିର୍ଦ୍ଧାରିତ ସମୟ ପାଇଁ ଆଇସୋସିଲେଶନରେ ରହିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଇଂଲଣ୍ଡରେ ଥିବା ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳର ଥ୍ରୋଡାଉନ ବିଶେଷଜ୍ଞ ଦୟାନନ୍ଦ ଗରାନି ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବୋଲିଂ କୋଚ୍‌ ଭରତ ଅରୁଣ ଓ ଉଇକେଟକିପର ରିଦ୍ଦିମାନ ଶାହଙ୍କୁ ଆଇସୋଲେଶନରେ ରହିବାକୁ ପଡ଼ିଥିଲା।

Share