୮ ସହର ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ସମଗ୍ର ରାଜ୍ୟରେ ଅସହ୍ୟ ଗରମ ହେବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଗକୁ ମଧ୍ୟ ଗୁଳୁଗୁଳି ସହ ଆହୁରି ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ବଢିବା ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ଅଛି। ରାଜ୍ୟରେ ତାତି ବଢି ଚାଲିଛି। ଗୁରୁବାର ରାଜ୍ୟର ୮ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୧.୨, ଟିଟିଲାଗଡ ୪୧.୮, ମାଲକାନଗିରି ୪୦.୨, ସୋନପୁର ୪୨.୪, ପାରଳାଖେମୁଣ୍ଡି ୪୦, ନୂଆପଡା ୪୧ ଏବଂ ସମ୍ବଲପୁରରେ ସର୍ବାଧିକ ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି କଟକରେ ୩୮ ଡିଗ୍ରୀ ଓ ଭୁବନେଶ୍ୱରରେ ୩୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।