ଛାତିଥରା ଦୁର୍ଘଟଣା! ରାସ୍ତା ମଝିରେ ଜଳିଗଲେ ୩୧ ଜଣ ଲୋକ, ଟ୍ୟାଙ୍କର ଓଲଟିବାରୁ ଭୟଙ୍କର ଅଗ୍ନିକାଣ୍ଡ

କାହିରା, ୨୬।୧୧: ଇଜିପ୍ଟର ରାଜଧାନୀ କାହିରାର ଏକ ପ୍ରମୁଖ ହାଇୱେରେ ବୁଧବାର ଏକ ଇନ୍ଧନ ଟ୍ୟାଙ୍କର ଓଲଟି ପଡ଼ିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଆଖପାଖର ଅନେକ ଗାଡ଼ିକୁ ବ୍ୟାପିଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀ କାହିରାକୁ ଚାରିପଟୁ ଘେରି ରହିଥିବା ଗୁରୁତ୍ୱପୂର୍ଣ୍ଣ ରିଙ୍ଗ ରୋଡ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଦୁଇ ଡଜନରୁ ଅଧିକ କାର୍‌ ଓ ବାଇକ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଗ୍ରେଟର କାହିରା ଅଞ୍ଚଳର ଗିଜା ପ୍ରଦେଶ ଅନ୍ତର୍ଗତ ଘନ ଜନବସତିପୂର୍ଣ୍ଣ ୱାରାକ ଅଞ୍ଚଳର ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଜଳୁଥିବା କାର୍‌ ଭିତରୁ ଲୋକଙ୍କୁ ବାହାର କରୁଥିବା ଦେଖାଯାଇଥିଲା। ଭାଇରାଲ ହୋଇଥିବା ଦୁର୍ଘଟଣାର ଭିଡିଓରେ ଦମକଳ କର୍ମଚାରୀମାନେ କାରଗୁଡ଼ିକ ମଧ୍ୟରେ ବ୍ୟାପିଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ନଜର ଆସିଛନ୍ତି।

 

 

Dharitri – Odisha’s No.1 Odia Daily

Share