ଓଡ଼ିଆଙ୍କ ଅଭିଧାନରେ ଇଗୋ

ଅରୁଣ କୁମାର ତ୍ରିପାଠୀ

ଗୋଟିଏ ଜାତିର ଉତ୍ଥାନ ନିମିତ୍ତ ସମସ୍ତଙ୍କ ଦୟାର୍ଦ୍ର ହୃଦୟ ତଥା ସମ୍ବେଦନଶୀଳତା ରହିବା ଅପରିହାର୍ଯ୍ୟ। ଉତ୍କଳମଣି ଲେଖିଥିଲେ, ‘ସ୍ବଦେଶ ମମତା ବିଶ୍ୱ ଜନପ୍ରୀତି, ଉତ୍କଳ ବାସୀର ହେଉ ଏହା ନୀତି’। ଅନେକେ ନିଜର ପୈତୃକ ପ୍ରାଣକୁ ବିସର୍ଜନ କରି ଜନ୍ମଭୂମି ଭାରତକୁ ସ୍ବାଧୀନତା ଆଣିଥିଲେ। କାହାର କାହାର ବଂଶ ମଧ୍ୟ ଲୋପ ହୋଇଗଲା। ଆଜି ବି ଅନେକେ ବିଯୁକ୍ତ ତାପମାତ୍ରାରେ ଦେଶର ନିରାପତ୍ତା ସକାଶେ ସୀମା ଜଗିଥିବା ସ୍ଥଳେ ଦେଶ ଭିତରେ ଯେଉଁମାନେ ନିଜ ଅଞ୍ଚଳର ଉନ୍ନତି କରିବାକୁ ଚାହୁଁଛନ୍ତି, ସେଥିରେ ଅନେକେ ଯୋଗଦାନ କରିବେ ବୋଲି କହି ମୂକ ବଧିର ଭଳି ବ୍ୟବହାର କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜକୁ ତୁଚ୍ଛ ବୋଲି ଉପସ୍ଥାପିତ କରୁଥିବା ସ୍ଥଳେ ନିଜର ସଂପୃକ୍ତ ଦାୟିତ୍ୱ ସମ୍ପାଦନ ବେଳେ ଅନେକଗୁଡ଼ିଏ ବାହାନା, ନୀରବତା ବଜାୟ ରଖି ହେଉ ଅଥବା ଉଦ୍ୟମୀଙ୍କୁ କଷ୍ଟଦେଲା ଭଳି କହି ନିଜର ହୀନମନ୍ୟତାକୁ ପରୋକ୍ଷରେ ପ୍ରଦର୍ଶନ କରୁଛନ୍ତି। ଯେଉଁମାନଙ୍କ ଅଧ୍ୟବସାୟ ରହୁଛି, ସେମାନେ କୌଣସି ମତେ ନିଜର ମାନସ ସନ୍ତାନମାନଙ୍କୁ ସକାଳର ସୂର୍ଯ୍ୟଙ୍କ ସହ ପରିଚୟ କରେଇପାରୁଥିବା ସ୍ଥଳେ ଆଉ କିଛି ଉତ୍ସାହୀ ହୃଦୟଙ୍କ ଅଭିଳାଷା ଅମାବାସ୍ୟାର ଚାନ୍ଦ ହେବାକୁ ବାଧ୍ୟ ହେଉଛି।
ଓଡ଼ିଆ କଙ୍କଡ଼ା ବୋଲି ଯେଉଁ ମନଗଢ଼ା ହାସ୍ୟୋଦ୍ଦୀପକ ଲୋକ କଥା ରହିଛି, ସେୟା କିଛି ଲୋକଙ୍କ ଜୀବନାନୁଭୂତି ଥିଲା, କିନ୍ତୁ ବିକାଶ ପ୍ରକ୍ରିୟାରେ ମଝି ପାହାଚରେ ଥିବା କିଛି ଲୋକ ନିଜର ଆଦର୍ଶ ସେହି କଙ୍କଡ଼ାମାନଙ୍କୁ କରିନେଉଛନ୍ତି। ବିଦ୍ୟାର ଦେବୀ ମାଆ ସରସ୍ବତୀଙ୍କ ଚାରି ହାତ ଚାରୋଟି ଗୁଣ ଯଥା :- ମନ, ବୁଦ୍ଧି, ସତର୍କତା ଏବଂ ଅହଂକାର ବୋଲି କିଛି ସାହିତ୍ୟରେ ଉଲ୍ଲେଖ ରହିଛି। ଅହଙ୍କାର କିଛିକାଂଶରେ ଗ୍ରହଣୀୟ, କାରଣ ସେୟା ଓଡ଼ିଆ ଅଭିଧାନରେ ମିଳିପାରେ, କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିକୁ ହନୁକରଣ କରି କିଛି ଲୋକ ଇଗୋକୁ ନିଜ ପ୍ରତିଭା ସାବ୍ୟସ୍ତ କରିବାରେ ବ୍ୟସ୍ତ। ଆମେ ଯେଉଁ ରୋଗ ବିଷୟରେ ଜାଣିବା, ତାହାର ଚିକିତ୍ସା କରିପାରିବା। କିନ୍ତୁ କରୋନା ଭଳି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ, ତାହାର ତ୍ୱରିତ୍‌ ସମାଧାନ ହୋଇ ନ ପାରେ। କୋଭିଡ୍‌ରେ ଯେଉଁଭଳି ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲା, ସେହିଭଳି ଏହି ଇଗୋ ନାମକ ଭୂତାଣୁଦ୍ୱାରା ଅନେକଙ୍କ ଉତ୍ସାହ ମରିଯାଉଛି। ଗଛରେ କଢ଼ିଟିଏ ମୁହେଁଇବା ସମୟରେ ତାହାକୁ ଯଦି ଛିଣ୍ତେଇ ଦେବା, ସୁଗନ୍ଧକୁ ଆମେ କିଭଳି ପ୍ରାପ୍ତ ହେବା?
ସେଦିନ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି କହୁଥିଲେ, ବୈଜ୍ଞାନିକ ଚିନ୍ତା ସବୁ ୮ରୁ ୯ ବର୍ଷ ବୟସ ମଧ୍ୟରେ ଉଦ୍ରେକ ହୁଏ। ସେହି ଅବସ୍ଥାରେ ପ୍ରାଥମିକ ଶିକ୍ଷକ ଯଦି ତାହାକୁ ପ୍ରୋତ୍ସାହନ ଦେବେ ନାହିଁ, ଦେଶକୁ ନୂଆ ବୈଜ୍ଞାନିକ ମିଳିବ ନାହିଁ, ଯେଉଁମାନେ ଆଇଜାକ୍‌ ନିଉଟନ୍‌ ଭଳି ନିଜନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିବେ!
ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ଓଡ଼ିଶା ବିତ୍ତସେବା ଅଧିକାରୀମାନଙ୍କ ତାଲିମ କେନ୍ଦ୍ରର ନାମକରଣ ହୋଇଛି I ତାଙ୍କର ଏକ ଧାଡ଼ି ଶୁଣିଲେ ପ୍ରତି ଲୋମକୂପରେ ଶିହରଣ ଖେଳିଯାଏ ତଥା କିଛି ଅକର୍ମ କରିଥିଲେ ଢେର୍‌ ଲାଜ ମାଡ଼େ। କୁଳବୃଦ୍ଧଙ୍କ ଅନୁସାରେ, ”ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ।’ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ଦଉଡ଼ି ପ୍ରାୟତଃ ଛିଡ଼େ ନାହିଁ, କିନ୍ତୁ ଯଦି ଛିଡ଼େ ତେବେ ତାହାକୁ ଗଇଁଣ୍ଠେଇବାକୁ ପଡ଼େ ନତୁବା ନୂତନ ଦଉଡ଼ି ଆଣିବାକୁ ପଡ଼େ। ସେହିଭଳି ଯଦି ଆମେ ଏହି ବିଦେଶାଗତ ଇଗୋକୁ ଆଦର୍ଶ କରିନେବା, ତେବେ କିଛି କାଳତ ଜାତି ନନ୍ଦିଘୋଷ ଅଟକି ଯିବ; କିନ୍ତୁ ନୂତନ ଦଉଡ଼ି ସଂଯୋଗରେ ସେୟା ଅବିଶ୍ରାନ୍ତ ଗତିରେ ନିଶ୍ଚୟ ଆଡ଼ପ ମଣ୍ତପରେ ପହଞ୍ଚିବ। କାହା ପାଇଁ ନାଟକର କୌଣସି ଚିତ୍ରଣ ଅଟକେ ନାହିଁ। ହେଲେ କିଛି କାଳ ସମସ୍ୟା ଦେଖାଯାଏ। ସାମାଜିକ ପ୍ରଗତି ନିମନ୍ତେ କରାଯାଉଥିବା ପ୍ରୟାସ ସବୁରେ ଯଦି ଏହି ଇଗୋର କୋକୁଆ ଛାୟା ମାଡ଼ିବସିବ, ସେୟା ଅନେକ ଭାବେ ପ୍ରଭାବିତ ହେବ। ନିଜର ବ୍ୟକ୍ତିଗତ କାର୍ଯ୍ୟ ଆମେ ଉପଯୁକ୍ତ ଦୃଷ୍ଟି ସହକାରେ ହାସଲ କରୁ, କିନ୍ତୁ ସାମାଜିକ କାର୍ଯ୍ୟରେ ଟିକିଏ ବାଧା କାର୍ଯ୍ୟଟିର ସମାପନରେ ପ୍ରଶ୍ନବାଚୀ ସୃଷ୍ଟି କରେ!
ସ୍ବିଡେନ, ଜାପାନ ଏବଂ ଜର୍ମାନୀ ଭଳି ଅନେକ ଦେଶ ସେଠିକାର ଉତ୍ସାହୀ ହୃଦୟମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଯୋଗାଇ ପ୍ରଗତିଶୀଳ ଲାଭ ପାଇବା ଆରମ୍ଭ କରି ଦେଇଛନ୍ତି। ଜାପାନରେ ହିରୋସୀମା ଏବଂ ନାଗାସାକି ଉପରେ ବୋମା ବିସ୍ଫୋରଣ ହେବାର ୮୦ ବର୍ଷରୁ ଅଧିକ ସମୟ ବିତିଯାଇଛି। ମେରୁଦଣ୍ତ ହାଡ଼ ଭାଙ୍ଗିଥିଲେ ମଧ୍ୟ ଜାପାନ ଯୁବ ବର୍ଗଙ୍କ ଉପରେ ନିବେଶ କରି ଆଜି ପ୍ରଶଂସା ସାଉଁଟିପାରୁଛି। ହାତୀ ଓ ଝିଟିପିଟିର ଯୁଦ୍ଧରେ ସାଧାରଣତଃ ହାତୀର ବିଜୟ ସୁନିଶ୍ଚିତ ବୋଲି ସମସ୍ତଙ୍କ ଅବଧାରଣା, କିନ୍ତୁ ସେୟା ତା’ ଶୁଣ୍ଢରେ ପଶିଗଲେ, ହାତୀକୁ ମୃତ୍ୟୁମୁଖରେ ପକେଇଦିଏ। ଆଜି ରୁଷିଆ ୟୁକ୍ରେନ ଯୁଦ୍ଧରେ ସେହି ଅବସ୍ଥା। କିନ୍ତୁ ୟୁକ୍ରେନ ସରକାର ଏହାର ନାଗରିକ ଗଣଙ୍କୁ ଗରିଲା ଯୁଦ୍ଧର କୌଶଳ ଶିଖେଇ ରୁଷ ସେନାର ଅକଲ ଗୁଡୁମ କରିବାକୁ ପଛଉ ନାହିଁ। ଆମ ଜନ୍ମ ଏହିଭଳି ଏକ ରାଷ୍ଟ୍ରରେ ହୋଇଛି, ଯାହା ଅତୀତରେ ବିଶ୍ୱଗୁରୁ ଥିଲା ଓ କିଛି ଦିନରେ ସେହି ସ୍ଥାନରେ ଅଚିରେ ପହଞ୍ଚତ୍ୟିବ ବୋଲି ଦାର୍ଶନିକ ଗଣ ମତ ଦିଅନ୍ତି। କିନ୍ତୁ ଆମେ ସଂକୀର୍ଣ୍ଣ ସ୍ବାର୍ଥର ବଶବର୍ତ୍ତୀ ହୋଇ ସଫଳତା ନିମନ୍ତେ ପଞ୍ଜୀକରଣର ପ୍ରକ୍ରିୟା ଅପର ସହ ବାଣ୍ଟିବାକୁ କୁଣ୍ଠାବୋଧ କରୁଛୁ।
ପୁନଶ୍ଚ ଦାସେ ଆପଣେଙ୍କ ଆଉ ଏକ ବୀର ଚେତନା ମନରେ ଉଙ୍କିମାରେ, ତୋ ପୂର୍ବ ପୁରୁଷେ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ, ତାଙ୍କରି ଔରସେ ଜନ୍ମ ହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି? ଆମେ କୌଣସି କାର୍ଯ୍ୟ ଯଦି କରିପାରୁନାହେଁ, ଅନ୍ୟଦ୍ୱାରା ସେହିଭଳି କିଛି କାର୍ଯ୍ୟ କରାଗଲେ, ନିଜେ ଅକୁଣ୍ଠ ଚିତ୍ତରେ ସହଯୋଗ କରିବା। ଅନେକ ସମିଧଙ୍କୁ ଘୃତାହୁତି ସହକାରେ ଅଗ୍ନିରେ ନିକ୍ଷେପ କରିବା। ଫଳରେ ଲେଲିହାନ ଜିହ୍ବାରେ କାମନା ଚରିତାର୍ଥ ହୁଏ। ନିଜ କଥା ତ ଆମେ ବିଚାର କରିବା, କିନ୍ତୁ ସେଥିରୁ ଗୋଟିଏ ପାଦ ଆଗକୁ ଯାଇ ସାମାଜିକ କାର୍ଯ୍ୟରେ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିବା। ଜଣଙ୍କୁ ଦେଇଥିବା ବାକ୍ୟରୁ ଆମେ କେବେ ମଧ୍ୟ ଓହରିବା ନାହିଁ। ବସୁଧୈବ କୁଟୁମ୍ବକଂର ବାର୍ତ୍ତା ଦେଇଥିବା ଉତ୍କଳ ଭୂମିର ଯଥାର୍ଥ ଉନ୍ନତି ନିମନ୍ତେ ଏହି ବିଦେଶାଗତ ଶବ୍ଦ ଇଗୋକୁ ଦୂରେଇ ଏକ ସମୃଦ୍ଧ, ସମୁନ୍ନତ ତଥା ପ୍ରଗତିଶୀଳ ଉତ୍କଳ ପ୍ରଦେଶ ଗଠନ କରିବା ନିମନ୍ତେ ବେଳ ହୁଁ ଶପଥ ନେବା ବିଧେୟ।
ଜୟପୁର, ମୋ-୯୦୭୮୮୩୮୬୨୭


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri