ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର ନିଜ ଗାଡ଼ିରେ ଝରିଗାଁରୁ ପାପଡ଼ାହାଣ୍ଡି ଆଡ଼କୁ ଆସିବା ସମୟରେ ହାଟପଦା ନିକଟରେ ଛପି ରହିଥିବା ଭାଜପାର ଅସନ୍ତୁଷ୍ଟ ଗୋଷ୍ଠୀ ଏହି ଅଣ୍ଡାମାଡ଼ କରିଥିବା ଚର୍ଚ୍ଚା ହେଉଛି।
୨୪ ତାରିଖରେ ଭାଜପା ଏମ୍‌ପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ନବରଙ୍ଗପୁର ଲୋକ ସଭା ପାଇଁ ଦଳ ପକ୍ଷରୁ ବଳଭଦ୍ର ମାଝିଙ୍କ ନାମ ଘୋଷଣା ହୋଇଥିଲା। ତେବେ ଘୋଷଣା ପରଦିନ ଅର୍ଥାତ୍‌ ୨୫ତାରିଖରେ ମଇଦଲପୁରରେ କେତେଜଣ ଭାଜପା କର୍ମୀ ଏହାକୁ ନେଇ ଦୁର୍ଗା ମଣ୍ଡପ ନିକଟରେ ପ୍ରତିବାଦ କରିଥିଲେ। ପୂର୍ବତନ ଏମ୍‌ପି ପର୍ଶୁରାମ ମାଝିଙ୍କୁ ଟିକେଟ ପ୍ରଦାନ ଲାଗି ସେମାନେ ଦାବି କରିଥିଲେ। ଏ ପରି ନ ହେଲେ ନିର୍ବାଚନ ପ୍ରକ୍ରିୟାରେ ସେମାନେ ସାମିଲ ହେବେ ନାହିଁ ବୋଲି କହିଥିଲେ। ଏଥିସହ ଆଗାମୀ ଦିନରେ ପ୍ରତିବାଦ କରିବେ ବୋଲି ସେମାନେ ଚେତାବନୀ ଦେଇଥିଲେ। ଅଣ୍ଡାମାଡ଼ ପରେ ବଳଭଦ୍ରଙ୍କ ଗାଡ଼ି ଘଟଣାସ୍ଥଳରୁ ପଳାଇଥିଲା। ଘଟଣା ସମ୍ପର୍କରେ ଜାଣିବାକୁ ବଳଭଦ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା।