ଦାରିଙ୍ଗବାଡ଼ି,୧୧ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ପ୍ରଥମଥର ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଚାଷ କରି ପ୍ରତିପୋଷଣ ହେଉଥିବା ଚାଷୀଙ୍କୁ ପ୍ରୋତ୍ସାହନ କରାଯିବା ସହ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ବ୍ଲକସ୍ତରୀୟ ମେଳାର ଆୟୋଜନ କରାଯାଇଛି। ଏହି ମେଳାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମତ୍ସ୍ୟ ଚାଷ ପ୍ରତି ରହିଥିବା ବିଭିନ୍ନ ଯୋଜନା ଓ ସହାୟତା ଋଣ ଓ ମତ୍ସ୍ୟକୁ ପାଳନ କରିବାର ଉପାୟ ସହ ପ୍ରାଣୀସମ୍ପଦର ସୁରକ୍ଷା ଓ ଏହି ଚାଷ ବିଶେଷ କରି ଛେଳି, ଗୋରୁ ପାଳନ ସହ ଘରେ କୁକୁଡ଼ା, ବତକ ଆଦି ପାଳନ କରି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ଦିପ୍ତୀରଞ୍ଜନ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସଭାପତିତ୍ୱରେ ପ୍ରାଣୀଧନ ଚିକିତ୍ସକ ବନ୍ଦିତା ମିଶ୍ରଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ, ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ପ୍ରମୋଦ ଦିଗାଲ, ଜିଲା ମୁଖ୍ୟ ପ୍ରାଣୀଧାନ ଚିକିତ୍ସକ ଭଗବତ ଘୋଷ, ଜିଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ ରୋଜାଲିନି ଦାସ, ୧୦ ନଂ ଜୋନ୍ ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,୧୧ ନଂ ଜିଲାପରିଷଦ ସଦସ୍ୟା ଦୀପିକା ମୁଠାମାଝୀ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ ମଞ୍ଚାସୀନ ରହି ଉପସ୍ଥିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଦାସକାଠିଆ ମାଧ୍ୟମରେ ଚାଷୀଙ୍କୁ ସଚେତନ କରିବା ସହ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲିକଙ୍କ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନ କରାଯାଇଥିଲା।


