କେସିଙ୍ଗା,୬।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଡୁମେର ମୁଣ୍ଡାସ୍ଥିତ ଏମସିସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିଲା। ଏହି ପରିପ୍ରେକ୍ଷୀରେ ଏନଏସିର ସମସ୍ତ କାଉନସିଲର ଏମସିସିକୁ ପରିଦର୍ଶନ କରିଥିଲେ। ପରିବେଶ ସୌନ୍ଦର୍ଯ୍ୟକୁ ବଢାଇବାକୁ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା।
ଏହି ଉପଲକ୍ଷେ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଏନଏସିର ସଦଭାବନା ଗୃହରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ,ଯନ୍ତ୍ରୀ ନାରାୟଣ ମହାରଣାଙ୍କ ସମେତ କାଉନସିଲର ଏବଂ କର୍ମଚାରୀ ଯୋଗଦାନ କରିଥିଲେ।ସେହିପରି ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଇକୋ କ୍ଳବ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ବାଲସି ଗ୍ରାମସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠରେ ମଧ୍ୟ ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ନେତୃତ୍ୱରେ ମଧ୍ୟ ବିଶ୍ୱ ପରିବେଶ ଦିବସ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।