ବାଣିଜ୍ୟ ଯୁଦ୍ଧର ପ୍ରଭାବ

ସମାଜବାଦୀ ସୋଭିଏତ୍‌ ସଂଘର ପତନ ପରେ ସାମ୍ରାଜ୍ୟବାଦୀ ଆମେରିକା ତା’ ଆଧିପତ୍ୟ ବିସ୍ତାର କରିବା ପାଇଁ ତୃତୀୟ ବିଶ୍ୱର ଅଂଶୀଦାର ରାଷ୍ଟ୍ର ଉପରେ ଆକ୍ରମଣ କରିଚାଲିଛି। ଏହି ଆକ୍ରମଣ କେବଳ ସାମରିକ କ୍ଷେତ୍ରରେ ସୀମିତ ନୁହେଁ, ବାଣିଜ୍ୟ ଯୁଦ୍ଧ ଏହାର ଅନ୍ୟ ଏକ ରୂପରେଖ। ସମୟ ବିଶେଷରେ ଏହା ସାମରିକ ଯୁଦ୍ଧଠାରୁ ଅଧିକ ଭୟାନକ ହୋଇପାରେ। ଭାରତ ଉପରେ ଆମେରିକା ମଧ୍ୟ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଭାରତ ରୁଷିଆଠାରୁ ଅଶୋଧିତ ତୈଳ କିଣିବା ଫଳରେ ସେହି ଅର୍ଥ ୟୁକ୍ରେନ୍‌ ଯୁଦ୍ଧରେ ଖର୍ଚ୍ଚ ହେଉଛି ମନେକରେ ଆମେରିକା ଭାରତ ଉପରେ ଟାରିଫ୍‌ ଲାଗୁ ହୋଇଛି।
ଉଲ୍ଲେଖ କରାଯାଇପାରେ ଯେ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଦୁର୍ବଳ ହେବା ଫଳରେ ଆମେରିକାର ଏଭଳି ଆଧିପତ୍ୟ ବୃଦ୍ଧି ପାଇଛି। ଆମ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ନାମ୍‌’ ବା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଉଥିବା ସମୟରେ ଆମେରିକାର ଆଧିପତ୍ୟ ସମ୍ମୁଖରେ ମୁଣ୍ଡ ନୁଆଁଇ ନ ଥିଲେ, ବରଂ ବାଂଲାଦେଶ ଯୁଦ୍ଧ ସମୟରେ ଆମେରିକାର ଆଧିପତ୍ୟକୁ କ୍ଷୁଣ୍ଣ କରିବାରେ ଭୂମିକା ଗ୍ରହଣ କରିଥିଲେ। ଅବଶ୍ୟ ସେ ସମୟରେ ଭାରତ ସହିତ ସୋଭିଏତ୍‌ ୟୁନିୟନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟକ୍ଷ ସହଯୋଗ ରହିଥିଲା।
ବର୍ତ୍ତମାନ ଆଉ ସେ ସୋଭିଏତ୍‌ ସଂଘ ନାହିଁ। ଦେଶର ନେତୃତ୍ୱ ପରିବର୍ତ୍ତନ ପରେ ଆମେରିକା ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଛି। ଏବେ ଅନେକ କ୍ଷେତ୍ରରେ ଭାରତ ସେ ଦେଶ ଉପରେ ନିର୍ଭରଶୀଳ। ଦୀର୍ଘ ୨୫ ବର୍ଷ ଧରି ଆମେରିକା ସହିତ ଆମର ଉତ୍ତମ ବାଣିଜି୍ୟକ ସମ୍ପର୍କ ରହିଥିବା ସତ୍ତ୍ବେ ଟ୍ରମ୍ପ୍‌ ପ୍ରଶାସନ ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ୫୦% ଟାରିଫ୍‌ ବୃଦ୍ଧି କରିବା କେବଳ ଅର୍ଥନୈତିକ ନୁହେଁ, ଏହା ସବୁ ସମୟରେ ରାଜନୈତିକ ଅଭିସନ୍ଧିମୂଳକ।
ଏହି ଟାରିଫ ବୃଦ୍ଧି ଯୋଗୁଁ ଭାରତର ଯୁକ୍ତରାଷ୍ଟ୍ରକୁ ରପ୍ତାନି ୩୭.୫% ହ୍ରାସ ପାଇଛି ଏବଂ ଭାରତର ବାଣିଜି୍ୟକ ନିଅଣ୍ଟ ୩୨.୧୫ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷକରି ଟେକ୍ସଟାଇଲ, ଚିଙ୍ଗୁଡ଼ି, ମୁକ୍ତା ଓ ଅଳଙ୍କାର ରପ୍ତାନି ଅଧିକ ହ୍ରାସ ପାଉଛି। ସେହିପରି ଟାରିଫ୍‌ ବୃଦ୍ଧି ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ପ୍ରାୟ ୩୫% ମହଙ୍ଗା ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ବିଶ୍ବ ବଜାରରେ ଜଟିଳ ସ୍ଥିତି ସତ୍ତ୍ୱେ ଭାରତର ରପ୍ତାନିରେ ଗତିଶୀଳତା ବଜାୟ ରହିଛି। ଗତ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରାୟ ୨୨୦.୧୨ ବିଲିୟନ ଡଲାରର ସାମଗ୍ରୀ ବିଦେଶକୁ ରପ୍ତାନି ହୋଇଛି, ଯାହାକି ସେହି ସମୟ ମଧ୍ୟରେ ଗତବର୍ଷ ଅପେକ୍ଷା (୨୧୩.୬୮ ବିଲିୟନ ଡଲାର) ୩.୦୨% ଅଧିକ। ସେହିପରି ଆମଦାନୀ ୩୭୫.୧୧ ବିଲିୟନ ଡଲାର (ପୂର୍ବ ବର୍ଷ +୩୫୮.୮୫ ବିଲିୟନ ଡଲାର)ରେ ପହଞ୍ଚତ୍ଛି। ଉଭୟ ଦେଶ ପରସ୍ପର ପ୍ରତି ବିଭିନ୍ନ ସମୟରେ ଲାଗୁ ହେଉଥିବା ଶୁଳ୍କ, ବଜାର ଅଭିଗମ (Market access)ଓ ନିୟାମକ ଅବରୋଧ (Regulatory barriers) ଭଳି ବିଷୟରେ ସମାଧାନ ଆଣିବା ପାଇଁ ଆଲୋଚନା କରୁଛନ୍ତି।
ଆମେରିକା କୃଷି ଓ ଦୁଗ୍‌ଧ ଜାତୀୟ ଦ୍ରବ୍ୟ ଉପରେ ରପ୍ତାନି ଶୁଳ୍କ କମ କରିବା ପାଇଁ ଲଗାଯାଇଥିବା ବେପାର ପ୍ରତିବନ୍ଧ ଉଠାଇ ଦେବାକୁ ଦାବି କରିଛି। ଭାରତର କ୍ଷୁଦ୍ର ଓ ମଧ୍ୟମ ଧରଣର ଗ୍ରାମୀଣ ଚାଷୀଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ ମନେକରି ଭାରତ ଏ ପର୍ଯ୍ୟନ୍ତ ଏହି ବ୍ୟାପାରରେ ସମ୍ମତ ହୋଇ ନାହିଁ। ଅନ୍ୟପକ୍ଷରେ ଆମେରିକାର ଯେଉଁ ଶିଳ୍ପଗୁଡ଼ିକ ଭାରତୀୟ କଞ୍ଚାମାଲ ଉପରେ ନିର୍ଭରଶୀଳ ସେଗୁଡ଼ିକ ପ୍ରଭାବିତ ହୋଇଛି। ସେଥିଯୋଗୁଁ ଭାରତ-ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବ୍ୟାପାରିକ ଯୁଦ୍ଧ ଉଭୟ ଦେଶ ପାଇଁ ବିଭିନ୍ନ ସମସ୍ୟାର କାରଣ ହୋଇଛି। ବର୍ତ୍ତମାନ ବାଣିଜି୍ୟକ ନିଅଣ୍ଟର ବ୍ୟବଧାନ ବୃଦ୍ଧି ପାଉଥିବାରୁ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୮୮ ଟଙ୍କାର ନିକଟତର ହୋଇଛି।
ଏକ ସୁରକ୍ଷାମୂଳକ ବ୍ୟାପାର ଅନୁସରଣ କରିବାକୁ ଯାଇ ଯଦିଓ ଆମେରିକା ଓ ଭାରତ ସମେତ ବିଭିନ୍ନ ଦେଶ ଉପରେ ଆମଦାନୀ ଶୁଳ୍କ ଲାଗୁ କରିଛି, ତଥାପି ଉଭୟ ଦେଶର ସମ୍ପର୍କକୁ ନେଇ ଏହାର ନକାରାତ୍ମକ ପ୍ରଭାବ ସୁଦୂରପ୍ରସାରୀ। ଉଲ୍ଲେଖ କରାଯାଇପାରେ ଯେ, ଯୁକ୍ତରାଷ୍ଟ୍ର, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘କ୍ୱାଡ୍‌’ ନାମକ ଏକ ଚତୁଃପକ୍ଷୀୟ ରାଷ୍ଟ୍ରର ସୁରକ୍ଷା କବଚ ଗଠିତ। ଏହା ଏକ ସ୍ଥିର ଓ ସୁରକ୍ଷିତ ଅଞ୍ଚଳ ଗଠନ କରିବାରେ ଲକ୍ଷ୍ୟ ରଖେ। ଆମେରିକା ଇଣ୍ଡୋପାସିଫିକ ଅଞ୍ଚଳରେ ଭାରତର ଭୂମିକାକୁ ସମର୍ଥନ କରେ। ଏହି ଅଞ୍ଚଳ ହେଉଛି ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ମିଶିଥିବା ଏକ ବିଶାଳ ଭୂରାଜନୀତିକ ଆର୍ଥିକ କ୍ଷେତ୍ର। ଏହା ଆନ୍ତର୍ଜାତିକ ବାଣିଜ୍ୟ ଓ ନୌ ସମ୍ପର୍କର ମୁଖ୍ୟ ପଥ ହୋଇଥିବାରୁ ସେଠାରେ ଚାଇନାର ପ୍ରଭାବକୁ ସନ୍ତୁଳିତ କରିବା ଉଦ୍ଦେଶ୍ୟ ନିହିତ ରହିଛି। ଏସବୁ ସତ୍ତ୍ୱେ ଆମେରିକା ଯଦି ଭାରତ ସହିତ ତା’ର ବ୍ୟବସାୟିକ ଯୁଦ୍ଧ ଜାରି ରଖେ, ତେବେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। ଆମଦାନୀ ହ୍ରାସ କରି ଦେଶୀୟ ଉତ୍ପାଦନ ଓ ରପ୍ତାନିକୁ ଗୁରୁତ୍ୱ ଦେବାକୁ ହେବ।
ଆମେରିକା ଭାରତର ବନ୍ଧୁ ରାଷ୍ଟ୍ର ନୁହେଁ, ଏହା ପ୍ରମାଣିତ ହୋଇ ସାରିଛି । ଆମେରିକା ଓ ରୁଷିଆ ମଧ୍ୟରେ ସମ ଦୂରତା ରଖି ସମ୍ପର୍କ ବଜାୟ ରଖିବା ଭାରତ ପାଇଁ ଆଉ ସମ୍ଭବପର ହୋଇ ରହିପାରି ନାହିଁ। ତେଣୁ ଭାରତ ନିଜର ବ୍ୟାପାର ବୃଦ୍ଧି କରିବା ପାଇଁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ କେତେକ ଆଫ୍ରିକୀୟ ଦେଶ ସହିତ ମୁକ୍ତ ବାଣିଜ୍ୟନାମା ସ୍ବାକ୍ଷରିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏତଦ୍‌ବ୍ୟତୀତ ଲାଟିନ୍‌ ଆମେରିକା ଓ ପୂର୍ବ ଦକ୍ଷିଣ ଏସିଆ ଭଳି ଅଞ୍ଚଳରେ ସୁଯୋଗ ଖୋଜିବା ସଙ୍ଗେ ସଙ୍ଗେ ଜର୍ମାନୀ, ବ୍ରିଟେନ୍‌, ସିଙ୍ଗାପୁର ଓ ମାଲେସିଆ ସହିତ ବ୍ୟାପାର ପାଇଁ ପ୍ରସ୍ତାବ ଦେଇଛି । ‘ଇଉରୋପ ସମୁଦାୟ’ ଓ ‘ନାଟୋ’ ସଂଗଠନ ସହିତ ବେପାର ସହଯୋଗ ବୃଦ୍ଧି କରାଯାଇଛି। ବ୍ରିକ୍ସ ସଂଗଠନ ପକ୍ଷରୁ ରୁଷିଆ ଓ ଚାଇନା ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ଏତଦ୍‌ବ୍ୟତୀତ ଭାରତ ଇଣ୍ଡୋପାସିଫିକ ଅଞ୍ଚଳରେ ଥିବା ଦେଶଗୁଡ଼ିକ ମଧ୍ୟରେ କୌଶଳଗତ ଓ ଅର୍ଥନୈତିକ ସଂପର୍କ ଅଧିକ ବୃଦ୍ଧି କରିବାରେ ଲାଗିଛି। ଭାରତ ଓ ଆମେରିକା ମଧ୍ୟରେ ବ୍ୟାପାରିକ ସମସ୍ୟା କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେଲେ ଆମେରିକା କୋହଳ ମନୋବୃତ୍ତି ପୋଷଣ କରିପାରେ।
କହିବାବାହୁଲ୍ୟ ଯେ, ବର୍ତ୍ତମାନ ବିଶ୍ୱର ଭୂ-ରାଜନୈତିକ ସନ୍ତୁଳନ ଓ ଗତିବିଧିର ପରିବର୍ତ୍ତନ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିସତ୍ତାକୁ ବିପଦମୁହଁକୁ ଠେଲି ଦେଇଛି। ତେଣୁ ଭାରତ ପରି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଶର ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସହାୟକ ହେଲେ ପ୍ରତ୍ୟେକ କ୍ଷେତ୍ରରେ ଆମେ ଯେ ସ୍ବାବଲମ୍ବୀ ହୋଇପାରିବା ଏଥିରେ ଦ୍ୱିମତ ନାହିଁ।

ପ୍ରମୋଦ କୁମାର ମିଶ୍ର
ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ୍‌, ସମ୍ବଲପୁର
ମୋ: ୯୪୩୭୪୨୦୫୪୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri