ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍ ଯୋଗେ ପାନୀୟଜଳ ସଂଯୋଗ ନ ହେଲେ ପୁଣି ଥରେ କଙ୍କାଳ ବୋହିନେବେ ବୋଲି କହିଛନ୍ତି। ତାଙ୍କର ଏହି ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ବ୍ୟାପୁଛି।
ସୂଚନାଯୋଗ୍ୟ, ଜିତୁ ମୁଣ୍ଡା ତାଙ୍କ ଭଉଣୀ କାଲାରା ମୁଣ୍ଡାଙ୍କ ଜମା ଟଙ୍କାକୁ ମଲ୍ଲୀପଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଉଠାଇ ବାକୁ ଯାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଭଉଣୀ ନ ଆସିଲେ ଟଙ୍କା ଦେବୁନାହିଁ କହିବାରୁ ଭଉଣୀଙ୍କ କଙ୍କାଳ ବୋହି ବ୍ୟାଙ୍କ ସମ୍ମୁଖରେ ରଖିଥିଲେ। ଘଟଣା ପରେ ଜିତୁ ଆନ୍ତର୍ଜାତିୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ପରେ ଜମା ଟଙ୍କା ସହ ଅନୁଦାନ ମିଳିଥିଲା। ଜିତୁ ମାସକୁ ୩୫ କେଜି ଚାଉଳ ପାଇବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଜିତୁମୁଣ୍ଡାଙ୍କ ଜମାଖାତାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୫ ଲକ୍ଷରୁ ଊଦ୍ଧର୍ବ ଟଙ୍କାର ଆର୍ଥିକ ସହାୟତା ମିଳିଛି। ଏବେ ଜିତୁ ମୁଣ୍ଡାଙ୍କ ଗାଁ ଡିଆନାଳୀ ଗ୍ରାମରେ ପାନୀୟ ଜଳ ସହ ରାସ୍ତାଘାଟ ସମସ୍ୟା ରହିଛି। ତେଣୁ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନ ଦେଲେ ଜିତୁ ପୁଣି କଙ୍କାଳକୁ ଖୋଳିକି ନେଇ ଯିବେ ବୋଲି ଏକ ପ୍ରତିକ୍ରିୟାରେ କହିଛନ୍ତି। ଉକ୍ତ କଥା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।