ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି କାରଣରୁ ବିଦ୍ୟାଳୟକୁ ବିଦ୍ୟାର ମନ୍ଦିର ବୋଲି ବିବେଚନା କରାଯାଏ। ସେଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ହେଉଛି ‘ମଣିଷ ତିଆରି କାରଖାନା’। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ, ଆଞ୍ଚଳିକତା ଓ ଧନୀ-ନିର୍ଦ୍ଧନ ନିର୍ବିଶେଷରେ ଏଠାରେ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ମାତାପିତା ତଥା ଅଭିଭାବକମାନେ ପିଲାମାନଙ୍କୁ ଯୋଗ୍ୟ ମଣିଷ କରିବା ପାଇଁ ଶିକ୍ଷାନୁଷ୍ଠାନକୁ ପଠାଇଥାନ୍ତି। ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ପିଲାଙ୍କୁ ପାଠ୍ୟପୁସ୍ତକ ବିଷୟରେ ଚର୍ଚ୍ଚା କରିବାଠାରୁ ଆରମ୍ଭ କରି ସମାଜସେବା ତଥା ଦେଶ ଶାସନ ପର୍ଯ୍ୟନ୍ତ ଶିକ୍ଷାଦାନ କରନ୍ତି। ଛାତ୍ରୀଛାତ୍ରମାନେ କିଭଳି ସୁନାଗରିକ ହେବେ, ସେଥିପାଇଁ ଚେଷ୍ଟା କରନ୍ତି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢ଼ିବାକୁ ପ୍ରଚେଷ୍ଟା ଜାରି ରଖିଥାନ୍ତି। ରାଷ୍ଟ୍ର ନିର୍ମାଣରେ ଛାତ୍ରୀଛାତ୍ରଙ୍କ ଭୂମିକା ସମ୍ପର୍କରେ ଶ୍ରେଣୀଗୃହରେ ପାଠପଢ଼ା ଯାଉଥିବା ବେଳେ ସେହି ବିଦ୍ୟାର୍ଥୀମାନେ ଅନେକ ରାଜନୈତିକ ରାଜନେତାଙ୍କ ଦର୍ଶନତତ୍ତ୍ୱ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ନିଜକୁ ସାମିଲ କରିବା ପାଇଁ ପ୍ରଚେଷ୍ଟା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ସରକାରୀ ବିଶ୍ବବିଦ୍ୟାଳୟକୁ ‘ନେତା ତିଆରି କାରଖାନା’ ରୂପେ ବିବେଚନା କରାଯାଏ।
ଭାରତବର୍ଷର ଖ୍ୟାତନାମା ଜନପ୍ରିୟ ରାଜନେତାଙ୍କ ରାଜନୈତିକ ଚିନ୍ତାଧାରା ଆରମ୍ଭ ହୁଏ ପ୍ରତିଷ୍ଠିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନରୁ। ‘ନେତା ତିଆରି କାରଖାନା’ ବାସ୍ତବରେ କୌଣସି ଯାନ୍ତ୍ରିକ କାରଖାନା ନୁହେଁ, ବରଂ ଏହା ଏକ ରାଜନୈତିକ ଏବଂ ସାମାଜିକ ରୂପକ। ସାଧାରଣତଃ ଯେଉଁ ଅନୁଷ୍ଠାନ, ସଙ୍ଗଠନ କିମ୍ବା ପରିବେଶରୁ ଦକ୍ଷ, ପ୍ରଭାବଶାଳୀ ଏବଂ ଜନହିତକର ନେତୃତ୍ୱ ଗଢ଼ିଉଠନ୍ତି, ତାହାକୁ ‘ନେତା ତିଆରି କାରଖାନା’ କୁହାଯାଏ। ଛାତ୍ର ଜୀବନରୁ ଆରମ୍ଭ ହୋଇଥାଏ ନେତୃତ୍ୱ ନେବାର ଜିଜ୍ଞାସା। ରାଷ୍ଟ୍ର ଗଠନ ଏବଂ ସମାଜ ବିକାଶରେ ଛାତ୍ରନେତାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ। ଛାତ୍ରନେତାଙ୍କ ମୁଖ୍ୟ ଭୂମିକାଗୁଡ଼ିକ ମଧ୍ୟରେ ଯୁବପିଢ଼ିକୁ ଏକାଠି କରି ସାମାଜିକ ଓ ରାଜନୈତିକ ସଚେତନତା ସୃଷ୍ଟି କରନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି। ବିପର୍ଯ୍ୟୟ ସମୟରେ ରିଲିଫ୍‌ ବଣ୍ଟନ, ରକ୍ତଦାନ ଶିବିର ଏବଂ ସଚେତନତା ଅଭିଯାନରେ ନେତୃତ୍ୱ ନିଅନ୍ତି। ଛାତ୍ର ସଙ୍ଗଠନ ମାଧ୍ୟମରେ ସେମାନେ ଭବିଷ୍ୟତର ଦକ୍ଷ ରାଜନୈତିକ ଓ ସାମାଜିକ ନେତା ଭାବେ ଗଢ଼ି ହୋଇଥାଆନ୍ତି। ଦୀର୍ଘ ଆଠବର୍ଷ ପରେ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୫ ଅକ୍ଟୋବର ୨୦୨୬ରେ ସାରା ରାଜ୍ୟରେ ଏକ ସମୟରେ ମତଦାନ ଓ ଚୟନ ପ୍ରକ୍ରିୟାରେ ଛାତ୍ରୀଛାତ୍ର ବାଛିଥିଲେ ନିଜ ପସନ୍ଦର ଛାତ୍ରନେତା ଏବଂ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇଥିଲା। ରାଜ୍ୟର ପ୍ରାୟ ୧୩ଟି ବିଶ୍ୱବିଦ୍ୟାଳୟ ଏବଂ ୩୪୬ଟି ମହାବିଦ୍ୟାଳୟ ସମେତ ମୋଟ ୩୫୯ଟି ଶିକ୍ଷାନୁଷ୍ଠାନ ଏଥିରେ ସାମିଲ ହୋଇଥିଲେ। ନିର୍ବାଚନ ଶେଷ ହେବା ପରେ ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ଛାତ୍ର ସଙ୍ଗଠନ ଯେପରିକି ଏବିଭିପି, ବିସିଜେଡି ଓ ଏନ୍‌ଏସ୍‌ୟୁଆଇର ପ୍ରମୁଖ ନେତା ଓ ଦଳୀୟ ମୁଖିଆମାନଙ୍କୁ ଭେଟିବା ଆରମ୍ଭ କରିଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି।
ଭାରତୀୟ ରାଜନୀତିରେ ଏମିତି ଅନେକ ପ୍ରଭାବଶାଳୀ ନେତା ଅଛନ୍ତି, ଯେଉଁମାନେ ନିଜର ରାଜନୈତିକ ଜୀବନ ଛାତ୍ର ପ୍ରତିନିଧି ବା ଛାତ୍ରନେତା ଭାବେ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଭାରତର କିଛି ପ୍ରମୁଖ ଏବଂ ଜନପ୍ରିୟ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ରନେତାମାନଙ୍କ ମଧ୍ୟରେ ଜାତୀୟସ୍ତରରେ ଚର୍ଚ୍ଚିତ ସାମ୍ପ୍ରତିକ ଛାତ୍ରନେତା କହ୍ନେୟା କୁମାର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ସାରା ଦେଶରେ ପରିଚିତ ହୋଇଥିଲେ। ଓଜସ୍ବିନୀ ଭାଷଣ ଶୈଳୀ ପାଇଁ ସେ ବେଶ୍‌ ଜନପ୍ରିୟ ଏବଂ ବର୍ତ୍ତମାନ କଂଗ୍ରେସ ଦଳର ଜଣେ ପ୍ରମୁଖ ଯୁବ ନେତା। ସେହିଭଳି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଛାତ୍ର ଆନ୍ଦୋଳନ ଆରମ୍ଭ କରିଥିବା ଉମର ଖାଲିଦ, ବିଭିନ୍ନ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜର ସ୍ବର ଉତ୍ତୋଳନ କରି ଚର୍ଚ୍ଚାକୁ ଆସିଥିଲେ। ଶେହଲା ରଶିଦ ମଧ୍ୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଉପସଭାପତି ଭାବେ କଶ୍ମୀର ତଥା ଦେଶର ବିଭିନ୍ନ ଛାତ୍ର ସମସ୍ୟାକୁ ନେଇ ସକ୍ରିୟ ଥିଲେ। ପ୍ରାକ୍ତନ ଛାତ୍ରନେତାଙ୍କ ମଧ୍ୟରେ ଅରୁଣ ଜେଟ୍‌ଲୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଲାଲୁ ପ୍ରସାଦ ଯାଦବ ପାଟ୍‌ନା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଥିଲେ। ୧୯୭୪ରେ ଜେ.ପି. (ଜୟପ୍ରକାଶ ନାରାୟଣ) ଆନ୍ଦୋଳନର ସେ ଜଣେ ପ୍ରମୁଖ ଛାତ୍ରନେତା ଥିଲେ ଏବଂ ପରେ ବିହାରର ମୁଖ୍ୟମନ୍ତ୍ରୀ ଓ ଦେଶର ରେଳମନ୍ତ୍ରୀ ହୋଇଥିଲେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପାଟ୍‌ନା ବିଶ୍ୱବିଦ୍ୟାଳୟରୁ ଜେ.ପି. ଆନ୍ଦୋଳନ ସମୟରେ ଜଣେ ସକ୍ରିୟ ଛାତ୍ରନେତା ଭାବେ ଉଭା ହୋଇଥିଲେ। ମମତା ବାନାର୍ଜୀ କଲିକତା ବିଶ୍ୱବିଦ୍ୟାଳୟରୁ କଂଗ୍ରେସର ଛାତ୍ର ସଂଗଠନ (ଛାତ୍ର ପରିଷଦ) ଜରିଆରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପଶ୍ଚିମବଙ୍ଗର ତିନିଥର ମୁଖ୍ୟମନ୍ତ୍ରୀ ସଫଳତାର ସହ କାର୍ଯ୍ୟଭାର ତୁଲାଇଥିଲେ।

କିଶୋର ଚନ୍ଦ୍ର ବେହେରା
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ: ୯୪୩୭୯୫୫୫୬୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନରୁ ଚମକିବ ୩ ରାଶିର ଭାଗ୍ୟ, ନଭେମ୍ବର ସୁଦ୍ଧା ବ୍ୟବସାୟରେ ପ୍ରବଳ ଲାଭ! ଜାଣନ୍ତୁ ସେହି ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାହୁଙ୍କ ନକ୍ଷତ୍ର ସୱାତୀରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ଏହି ନକ୍ଷତ୍ରରେ ନଭେମ୍ବର ୬, ୨୦୨୬ ପର୍ଯ୍ୟନ୍ତ ଅବସ୍ଥାନ…

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ବ୍ୟାଟ ଛାଡ଼ିବେ ନା ଖେଳ ଜାରି ରଖିବେ? ଅବସର ଚର୍ଚ୍ଚା ଉପରେ ରୋହିତଙ୍କ ସ୍ପଷ୍ଟ ଜବାବ, କହିଦେଲେ…

ନୂଆଦିଲ୍ଲୀ, ୨୬।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଥର ଗୁଜବ ସାମ୍ନାକୁ ଆସିଛି।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ଦ୍ୱିତୀୟ ବ୍ୟବହାର

ଥରେ ମାତ୍ର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଡାକ୍ତରୀ ଉପକରଣଗୁଡ଼ିକୁ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକରେ ପୁନର୍ବାର ବ୍ୟବହାର କରାଯାଉଥିବାର ଖବର ମିଳିବା ପରେ କେନ୍ଦ୍ର ସରକାର ସମସ୍ତ…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!

ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?