ଅଧିକାରୀଙ୍କ ଅବହେଳା, ଭୁଶୁଡୁଛି ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତକରି କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଅବହେଳାରୁ କେତେକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଅଧିକାରୀମାନେ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ର ଅନୁପାତରେ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ନେଇ ପଦକ୍ଷେପ ନେଉ ନ ଥିବାରୁ ଶିକ୍ଷାଦାନରେ ବିଭିନ୍ନ ସମସ୍ୟା ଉପୁଜୁଛି। ଏପରି ଦେଖିବାକୁ ମିଳିଛି ପଟ୍ଟାଙ୍ଗି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ କ୍ଷେତ୍ରରେ। ବ୍ଲକର ବଦଲିଗୁଡା ବିଦ୍ୟାଳୟରେ ୫୫ ଛାତ୍ରୀଛାତ୍ର ପାଇଁ ଜଣେ ମାତ୍ର ଶିକ୍ଷକ ରହିଥିବା ବେଳେ ବିଟୁଗୁଡ଼ା ବିଦ୍ୟାଳୟରେ ୧୯ ଛାତ୍ରୀଛାତ୍ରଙ୍କ ପାଇଁ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିୟୋଜିତ ଅଛନ୍ତି । ସେହିପରି ହଳଦୀଗୁଡ଼ା ବିଦ୍ୟାଳୟରେ ୩ ଜଣ ଛାତୀଛାତ୍ରଙ୍କ ପାଇଁ ୨ଜଣ ଅଛନ୍ତି। ଏପରିକି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ଗୋପବନ୍ଧୁପଲ୍ଲୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୨୨ ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ଏଠାରେ ମାତ୍ର ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ଏପରି ଅବ୍ୟବସ୍ଥା ବ୍ଲକର ଅଧିକାଂଶ ବିଦ୍ୟାଳୟରେ ରହିଥିଲେ ମଧ୍ୟ ଏସବୁ ସମସ୍ୟାର ସମାଧାନ ଲାଗି ଅଧିକାରୀମାନେ ତତ୍ପରତା ପ୍ରକାଶ କରୁନାହାନ୍ତି ବୋଲି ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ ଅଭିଯୋଗ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଅଧିକ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଥାନ୍ତି ସେଠାରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେଶନରେ ପଠାଇବା ବ୍ୟବସ୍ଥା ଥିଲେ ମଧ୍ୟ ବ୍ଳକ କିମ୍ବା ଜିଲା ଶିକ୍ଷା ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ଏନେଇ ସଦର ପଞ୍ଚାୟତ ସରପଞ୍ଚ ଆଲମେ ଫୁଲ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଟି.ମିନତିଙ୍କୁ ପଚାରିବାରୁ ସେ କହିଲେ, ଏ ବିଷୟରେ ସେ ଜିଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ।