ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା ମୂଳଦୁଆ ଅଟେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି । କଟକ ଜିଲା ବାଙ୍କୀ ବାଅଁାରାଠାରେ ସ୍ଥାପିତ ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟକୁ ସୋମବାର ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଲେ, କୃପାଳୁଜୀ ମହାରାଜଙ୍କ ଜନକଲ୍ୟାଣକାରୀ ଚିନ୍ତାଧାରାକୁ ସାଧାରଣ କରିବା ଦିଗରେ ଉତ୍ତମ ପ୍ରୟାସ । ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କୁ ସାଧୁବାଦ ଜଣାଉଛି । ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ସମୃଦ୍ଧ ପରମ୍ପରା ଓଡ଼ିଶା ମାଟିର ବୈଶିଷ୍ଟ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପୁଣ୍ୟଭୂମି ଯୁଗେ ଯୁଗେ ସମନ୍ବୟ, କରୁଣା ଓ ମାନବକଲ୍ୟାଣର ବାର୍ତ୍ତା ଦେଇଆସିଛି। ଜନସେବା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ କଟକର ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟକ। ଏପରି ଐତିହାସିକସ୍ଥଳରେ ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ଭାରତର ପ୍ରାଚୀନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଶିକ୍ଷା ସହ ଯୋଡ଼ି ସମାଜ ଓ ରାଷ୍ଟ୍ରର ସେବା ନିମନ୍ତେ ଶକ୍ତିଶାଳୀ ମାଧ୍ୟମ ହେବ। ଏହି ବିଶ୍ୱବିଦ୍ୟାଳୟର ନୀତି ନିର୍ଦ୍ଧାରଣକାରୀମାନେ ବଞ୍ଚତ୍ତବର୍ଗ, ଜନଜାତି ଓ ବାଳିକାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବେ ବୋଲି ସେ ଆଶାବାଦୀ ଥିବା ରାଷ୍ଟ୍ରପତି କହିଛନ୍ତି।
ରାଷ୍ଟ୍ରପତି ଆହୁରି କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଏପରି ବାତାବରଣ ରହିବା ଆବଶ୍ୟକ ଯେଉଁଠି ଯୁବବର୍ଗ ନିଜ ପ୍ରତିଭାର ପୂର୍ଣ୍ଣ ବିକାଶ କରିପାରିବେ। ଭାରତର ଯୁବଶକ୍ତି ନିଜ ବିବେକ, ଜ୍ଞାନ ଓ ଊର୍ଜାର ସଦୁପଯୋଗ କରି ବିକଶିତ ଭାରତ ନିର୍ମାଣରେ ନିଜ ଭୂମିକା ନିର୍ବାହ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ନିଜର ଯାତ୍ରାର ଶୁଭାରମ୍ଭ ଆଜି କରିଛି। ଏହାର ନୀତି ନିର୍ଦ୍ଧାରକମାନେ ମୂଳ ଲକ୍ଷ୍ୟ ନୈତିକ ଆଦର୍ଶ, ସାମ୍ବିଧାନିକ ମୂଲ୍ୟକୁ ପାଠ୍ୟକ୍ରମରେ ସାମିଲ କରି କୌଶଳ ବିକାଶ, ଶିଳ୍ପ ଶିକ୍ଷା, ମହିଳା ସଶକ୍ତୀକରଣ ଓ ଦୁର୍ବଳ ବର୍ଗଙ୍କ ପାଇଁ ସମତୁଲ୍ୟ ଶିକ୍ଷା ନିଶ୍ଚିତ କରାଇବେ। ୨୦୪୭କୁ ବିକଶିତ ଭାରତ ଲକ୍ଷ୍ୟ ରଖିଛୁ। ଓଡ଼ିଶାକୁ ମଧ୍ୟ ବିକଶିତ ଓଡ଼ିଶାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଶିକ୍ଷାୟତନଗୁଡ଼ିକର ମଧ୍ୟ ଗୁରୁ ଦାୟିତ୍ୱ ରହିଛି। ଆଧୁନିକ ଜ୍ଞାନକୁ ଆପଣାଇବା ସହ ନୈତିକ ମୂଲ୍ୟ ପ୍ରତି ଆସ୍ଥାବାନ ରହିବା ଆବଶ୍ୟକ। ଏହି ବିଶ୍ୱବିଦ୍ୟାଳୟରେ ଗବେଷଣା, ଉଦ୍ଭାବନ ସହିତ ଔଦ୍ୟୋଗିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଦ୍ୟାର୍ଥୀମାନଙ୍କ ସାଂସ୍କୃତିକ, ଆଧ୍ୟତ୍ମିକ ଜ୍ଞାନର ବିକାଶ ପ୍ରତି ଗୁରୁତ୍ୱାରୋପ କରାଯିବ। ବିଶ୍ୱବିଦ୍ୟାଳୟ କୁଶଳି ମାନବସମ୍ବଳ ବିକାଶ ସହ ଉଦ୍ୟୋଗୀମାନଙ୍କୁ ତିଆରି କରିବ ଯେଉଁମାନେ ବିକଶିତ ଭାରତ ତଥା ଓଡ଼ିଶା ଲକ୍ଷ୍ୟପ୍ରାପ୍ତିରେ ଯୋଗଦାନ ଦେବେ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଜ୍ଞାନ, ଅନୁସନ୍ଧାନ ଓ ନୂତନ ଜ୍ଞାନ କେନ୍ଦ୍ର ହେବ। ଏହା କେବଳ ଓଡ଼ିଶା ନୁହେଁ ପୂରା ଦେଶରେ ଯୁବଗୋଷ୍ଠୀ ନିର୍ମାଣର ପ୍ରତିଷ୍ଠାନ ହେବ ବୋଲି ରାଷ୍ଟ୍ରପତି ଦୋହରାଇ ଥିଲେ।
ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି କହିଲେ, ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟରେ ସାଇବର ସିକ୍ୟୁରିଟି, ହେଲ୍‌ଥକେୟାର ସାଇନ୍ସ, ମାଇଣ୍ଡ ମ୍ୟାନେଜମେଣ୍ଟ, ଯୋଗଶିକ୍ଷା ଆଦି ସମେତ ନୈତିକ ମୂଲ୍ୟବୋଧ ମାଧ୍ୟମରେ ଯୁବଶକ୍ତିକୁ ତ୍ୱରିତ ଅତ୍ୟାଧୁନିକ ଜ୍ଞାନ ବିତରଣ କରିବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, କୃପାଳୁ ମହାରାଜ ଥିଲେ ଜଣେ ଯୁଗ ପ୍ରବର୍ତ୍ତକ। ତାଙ୍କର ଅଗାଧ ଶାସ୍ତ୍ରଜ୍ଞାନ, ମାନବ କଲ୍ୟାଣକାରୀ ଦର୍ଶନ ପ୍ରତ୍ୟେକ ନାଗରିକକୁ ସାମାଜିକ ଦାୟିତ୍ୱବୋଧର ଶିକ୍ଷା ପ୍ରଦାନ କରିଥାଏ। ଏହି ବିଶ୍ୱବିଦ୍ୟାଳୟ ଭାରତୀୟ ମୂଲ୍ୟବୋଧ ଓ ସନାତନ ଆଦର୍ଶ ଉପରେ ପ୍ରତିଷ୍ଠିତ। ଏହା କୃତ୍ରିମ ବୁଦ୍ଧିମତ୍ତା, ସ୍ବାସ୍ଥ୍ୟ ବିଜ୍ଞାନ, ବିଜ୍‌ନେସ ମ୍ୟାନେଜମେଣ୍ଟ ଆଦିରେ ଆଧ୍ୟାତ୍ମିକତାର ସମନ୍ବୟ ରକ୍ଷା କରିପାରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଞ୍ଚାସୀନ ଥିଲେ।
ବିଶ୍ୱବିଦ୍ୟାଳୟର ସଂସ୍ଥାପକ ତଥା ଅଧ୍ୟକ୍ଷ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦଜୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ବିଶ୍ୱବିଦ୍ୟାଳୟ ବିଷୟରେ ସୂଚନା ଦେଇ କହିଲେ, ବର୍ତ୍ତମାନ ଦ୍ରୁତଗତି ଅତ୍ୟାଧୁନିକ ଜ୍ଞାନକୌଶଳର ବର୍ଦ୍ଧିତତାକୁ ବିଶ୍ୱବିଦ୍ୟାଳୟ ପୂରଣ କରିବାର ପ୍ରଚେଷ୍ଟା କରାଯାଉଛି। ଆମ ଶିକ୍ଷାବ୍ୟବସ୍ଥାରେ ଥିବା ତ୍ରୁଟିଗୁଡ଼ିକୁ ସୁଧାରି ଛାତ୍ରୀଛାତ୍ରଙ୍କୁ ଉତ୍ତମ ମଣିଷ ତଥା ବିଶ୍ୱ ବ୍ୟକ୍ତିତ୍ୱରେ ପରିଣତ କରିବାରେ ସହାୟକ ହେବ।

 

Dharitri – Odisha’s No.1 Odia Daily