ଶିଶୁଙ୍କ ସ୍ବଭାବ ଶିଶୁ ସାହିତ୍ୟର ସ୍ବରୂପ

ଶିଶୁ ଦେବଶିଶୁ। ସରଳ, ନିରୀହ ଓ ନିଷ୍ପାପ। ନିର୍ବୋଧ ନୁହେଁ। ବଡ଼ ମଣିଷଙ୍କ ପରି ସବୁ ଭାବ ଅନୁଭବ କରନ୍ତି। ପ୍ରକାଶ କରିପାରନ୍ତି ନାହିଁ। ବଡ଼ ମଣିଷର ସେ ଛୋଟ ରୂପ। ଶିଶୁ କହିଲେ ଜନ୍ମରୁ ଅଠର ବର୍ଷ ବୟସ ପର୍ଯ୍ୟନ୍ତ ମଣିଷ ପିଲା ଗଣ୍ୟ ହୁଅନ୍ତି। ବୟସର ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ଶାରୀରିକ କ୍ଷମତା, ବୋଧଶକ୍ତି, ସୃଜନଶୀଳତା, ଗ୍ରହଣକ୍ଷମତା, ସର୍ବୋପରି ମାନସିକ, ବୌଦ୍ଧିକ, ଭାବଗତ ପରିବର୍ତ୍ତନ ଘଟୁଥାଏ। ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ସବୁଠାରୁ ସୃଜନଶୀଳ ଥା’ନ୍ତି। ସେମାନେ ଦୁନିଆ ବିଷୟରେ ଜାଣିବାକୁ ଆଗ୍ରହ, କୌତୂହଳ ଓ ଜିଜ୍ଞାସା ପ୍ରକାଶ କରନ୍ତି। ସେମାନେ ଜାଣିବାକୁ ଚାହୁଁଥିବା ବିଷୟରେ ସେମାନଙ୍କୁ ଉପଯୁକ୍ତ ତଥ୍ୟ ପ୍ରଦାନ କରିବା ବାଞ୍ଛନୀୟ। ଖଣ୍ଡିତ/ନିରୁତ୍ସାହଜନକ ଉତ୍ତର ଦେଲେ ସେମାନଙ୍କ ଆଗ୍ରହ ଭାଙ୍ଗିଯାଏ। ବିକାଶ ବାଧାପ୍ରାପ୍ତ ହୁଏ। ପିଲାମାନେ ସମାଜ ସମ୍ପର୍କରେ ଯେତେ ଅଧିକ ଆସନ୍ତି, ସେମାନଙ୍କର ସାମାଜିକୀକରଣ ବୃଦ୍ଧିପାଏ; କିନ୍ତୁ ସୃଜନଶୀଳତା ବିକାଶ ଲାଭର ଉପଯୁକ୍ତ ସୁଯୋଗ ନ ପାଇ ମରି ମରି ଯାଏ। ପିଲାମାନେ ଗଳ୍ପପ୍ରିୟ। ଗଳ୍ପ ମାଧ୍ୟମରେ ସେମାନଙ୍କୁ ଅଭିଳଷିତ ମାର୍ଗରେ ଅନୁପ୍ରେରିତ କରାଯାଇଥାଏ। ଯୁଗ ଦ୍ରୁତ ଗତିରେ ବଦଳି ଚାଲିଛି। ପିଲାମାନଙ୍କୁ କୋଳରେ/ପାଖରେ ବସାଇ ଅଜା ଆଈ କ୍ୱଚିତ୍‌ ଗଳ୍ପ ଶୁଣାଉଥିବାର ଦେଖାଯାଉଛି। ଗଳ୍ପର ବିଷୟବସ୍ତୁ ରାମାୟଣ, ମହାଭାରତ, ପୁରାଣ ବା ଆଧୁନିକ ନବୀନ ହୋଇପାରେ; କିନ୍ତୁ ଗଳ୍ପ ପରିବେଷଣ ଶୈଳୀ ରୋଚକ, ଆକର୍ଷଣୀୟ ଓ ମନଛୁଆଁ ହେବା ଜରୁରୀ। ଗଳ୍ପ କଥନଶୈଳୀକୁ ଟି.ଭି/ ମୋବାଇଲ/ ନାନାବିଧ ଚିତ୍ର/ ମଡେଲ ସାହାଯ୍ୟରେ ଅଧିକ ସୁନ୍ଦର ଓ ମନୋହର କରାଯାଇପାରେ। ଶିଶୁମାନେ ଆବେଗପୂର୍ଣ୍ଣ। ସ୍ନେହ, ଆଦର, ହସ-କାନ୍ଦ, ରାଗ-ରୁଷା ଆଦି ଆବେଗ ଗଳ୍ପ/କବିତାର ଅନ୍ତଃସ୍ବର ହେଲେ ତାହା ଶିଶୁମନକୁ ସହଜରେ ଛୁଇଁ ଯାଏ। ଏଥିନିମନ୍ତେ ଶିଶୁସୁଲଭ ଶବ୍ଦ ସଂଯୋଜନା ରହିବା ଏକାନ୍ତ କାମ୍ୟ। ଏହା ଆଞ୍ଚଳିକ ଭେଦରେ ସରଳ ସାବଲୀଳ ବୋଧଗମ୍ୟ ହେବା ଉଚିତ। ଏକ ମାନକ ଭାଷା/ଶବ୍ଦ ଓଡ଼ିଶାର ସମସ୍ତ ଅଞ୍ଚଳର ଶିଶୁମାନଙ୍କ ପାଇଁ ବୋଧଗମ୍ୟ ନୁହେଁ। ଅତଏବ ଅଞ୍ଚଳ ଭେଦରେ ଶବ୍ଦଚୟନ ଅନିବାର୍ଯ୍ୟ। ପିଲାମାନେ ସାଧାରଣତଃ ଯୁକ୍ତିପ୍ରବଣ। ପରମ୍ପରା ନଁାରେ ଅନ୍ଧବିଶ୍ୱାସ/କୁସଂସ୍କାର ଶିଶୁ ସାହିତ୍ୟରେ ମାରାତ୍ମକ। ପିଲାମାନଙ୍କର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଯେପରି ବିକଶିତ ହୁଏ, ସେଥିପ୍ରତି ଧ୍ୟାନ ଦେବା ବିଧେୟ। କାରଣ କଅଁଳ ମନ ପ୍ରତି ଉକ୍ତି ପଛରେ ଥିବା ଯୁକ୍ତିକୁ ଖୋଜୁଥାଏ। ପିଲାମାନେ ଅନୁସନ୍ଧିତ୍ସୁ। ସେମାନଙ୍କୁ ସାହିତ୍ୟ ମାଧ୍ୟମରେ ଅଧିକରୁ ଅଧିକ ଜାଣିବା ପାଇଁ ବାଟ ଫିଟେଇବା ଆବଶ୍ୟକ। ନୀରବ ସଙ୍କେତ ଶବ୍ଦଠାରୁ ଅଧିକ କିଛି କହୁଥାଏ। କବିତା/ ଗଳ୍ପ/ ଶିଶୁ ଉପନ୍ୟାସରେ ରଙ୍ଗବେରଙ୍ଗ ଛବି/ଚିତ୍ର ରହିଲେ ତାହା ଶିଶୁମାନଙ୍କୁ ଆକୃଷ୍ଟ କରେ। ‘ଛବି ଦେଖି ଗଳ୍ପ କୁହ’ ରୀତି ବେଳେବେଳେ ପ୍ରଶ୍ନ ପିଲାମାନଙ୍କୁ ଅଧିକ ଚିନ୍ତାଶୀଳ ଓ କଳ୍ପନାପ୍ରବଣ କରିଥାଏ। ସରଳରୁ ଜଟିଳ, ଅଜ୍ଞାନରୁ ଜ୍ଞାନକୁ ଗତି କରିବା ପଦ୍ଧତି ଶିକ୍ଷଣର ରୀତି। ଧୀରେ ଧୀରେ ପିଲାମାନଙ୍କୁ ଚେତନାର ଊର୍ଦ୍ଧ୍ୱସ୍ତରକୁ ନେଇଯାଏ। କଳ୍ପନାଶକ୍ତିକୁ ବିକଶିତ କଲା ପରି ସାହିତ୍ୟରେ ଉପାଦାନ ଆବଶ୍ୟକ ହୋଇଥାଏ।
ପିଲାମାନଙ୍କର ଧାରଣଶକ୍ତି କମ୍‌ ରହୁଥିବାରୁ ଶିଶୁ ସାହିତ୍ୟ ସଂକ୍ଷିପ୍ତ ହେଲେ ମନେରହିଯାଏ। ପିଲା ହୁଅନ୍ତୁ ବା ବଡ଼, ଉପଦେଶ ଶୁଣିବାକୁ ସାଧାରଣତଃ କେହି ଭଲପାଆନ୍ତି ନାହିଁ। ତେଣୁ ସିଧାସଳଖ ସତ କୁହ, ଗୁରୁଜନମାନଙ୍କୁ ସମ୍ମାନ ଦିଅ କହିବା ଅପେକ୍ଷା କଥନଶୈଳୀରେ/ ନାଟକୀୟ ଢଙ୍ଗରେ ସେହି ଭାବକୁ ପରିବେଶଣ କଲେ ତାହା ଆପେଆପେ ପିଲାମାନଙ୍କ ଦ୍ୱାରା ଅନୁଭବଯୋଗ୍ୟ/ ଗ୍ରହଣୀୟ/ ଅନୁସରଣୀୟ ହୋଇଥାଏ। ପରିବାରରେ ବଡ଼ମାନେ କେବଳ ସାହିତ୍ୟରେ କଥାକୁ ପାଳନ ନ କରି ପିଲାମାନଙ୍କୁ ପାଳନ କରିବାକୁ କହିଲେ ପିଲାମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଏକ ବିରୋଧାଭାସ ସୃଷ୍ଟି ହୁଏ। ଅତଏବ ପିଲାମାନଙ୍କୁ ଭଲ ହେବା ପାଇଁ ଉପଦେଶ ଦେବା ପୂର୍ବରୁ ନିଜ ବ୍ୟବହାରରେ ତାହା ପ୍ରଦର୍ଶନ କଲେ ତାହା ଅଧିକ ଫଳପ୍ରଦ ହୋଇଥାଏ। ପରୋକ୍ଷ ଉକ୍ତିରେ କଥାକୁ ପରିବେଶଣ ନ କରି ପ୍ରତ୍ୟକ୍ଷ ଉକ୍ତିରେ କଥା ପ୍ରକାଶ ପାଇଲେ ତାହାର ଗ୍ରହଣଶୀଳତା ଅଧିକ ରହେ। ତେଣୁ ବାକ୍ୟରେ ‘ଯେ’ ଉଲ୍ଲେଖ ନ କରି ଜଣେ କହିଥିବା କଥାକୁ ଉଦ୍ଧୃତ ଚିହ୍ନ ମଧ୍ୟରେ ଉଲ୍ଲେଖ କରିବା ଚାହି। ଶିଶୁ ସାହିତ୍ୟ ପିଲାର ପରିବେଶର କଥା କହିଲେ ଶୀଘ୍ର ପିଲାଟି ତାହା ସହିତ ପରିଚିତ ହୋଇଥା’ନ୍ତି। ଶିଶୁ ସାହିତ୍ୟର ବିଭିନ୍ନ ବିଭାଗର ପୁସ୍ତକ ବହୁଳ ପରିମାଣରେ ଘରେ ଘରେ ପ୍ରଚାର ପ୍ରସାର ହେଲେ ସାନରୁ ବଡ଼ମାନେ ତାହା ସହିତ ପରିଚିତ ହୋଇଥା’ନ୍ତି। ଆଜି ନ ହେଲେ କାଲି, ବଡ଼ ନ ହେଲେ ସାନ କାହା ଆଖିରେ ତାହା ପଡ଼େ; କାମରେ ଲାଗେ। ଶିଶୁ ଲେଖକ/ କବି/ ଔପନ୍ୟାସିକ ପ୍ରଥମେ ସେ ଯେଉଁ ଶବ୍ଦ ପ୍ରୟୋଗ କରିବାକୁ ଯାଉଛନ୍ତି, ତାହା ଶିଶୁମନରେ କି ପ୍ରଭାବ ପକାଇବ, ତାହା ଥରେ ଚିନ୍ତା କରିନେବା ଜରୁରୀ। ଶବ୍ଦ ଯାଦୁ ପରି କାମ କରେ। ରିମ୍‌ଝିମ୍‌, ପରି ଶ୍ରୁତିମଧୁର ଶବ୍ଦ ଆଉ ସରଳ ଢଗଢମାଳି ଲେଖାରେ ପ୍ରକାଶ ପାଇଲେ ମନ ଶହେ ପ୍ରତିଶତ ତାହା ସହିତ ବାନ୍ଧି ହୋଇଯାଏ। ମନରେ ଆନନ୍ଦ ଅନୁଭବ ଆସେ। ପିଲା ନିଜକୁ ହାଲୁକା ଓ ସହଜ ମନେକରେ। କବିତାରେ ଯତିପାତ ରହିଲେ ତାହା ସ୍ବାଭାବିକ ଭାବରେ ମନରେ ଆଙ୍କି ହୋଇଯାଏ।
‘ବା ବା ବ୍ଲାକ୍‌ସିପ’ ‘ଧୋରେ ବାଇଆ ଧୋ ଯେଉଁ କିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୋ’ ଗୀତର ସ୍ଥାନ ନେଇପାରିବ ନାହିଁ। କାରଣ ଗହଳମାଣ୍ଡିଆର ଅର୍ଥ ରହିଛି। ତାହା ମସ୍ତିଷ୍କକୁ ବୁଝାଏ। ସାହିତ୍ୟରେ ଶିଶୁର ପରିଚିତ ଇଲାକାର କଥା ସ୍ଥାନିତ ହେଲେ ତାହା ସୁବୋଧ୍ୟ ହୋଇଥାଏ। ଶିଶୁ ନାଟକର ମଧ୍ୟସ୍ଥ ହେଲେ ତାହର ନାଟ୍ୟରୂପ ଶିଶୁ ଆଖିରେ ଦେଖି କାନରେ ଶୁଣି ଗଭୀର ଭାବରେ ପ୍ରଭାବିତ ହୋଇଥାଏ। ଦାନବୀର ହରିଶ୍ଚନ୍ଦ୍ର ନାଟକ ଆଜି ବି ମନେପଡ଼ିଲେ ନାଟକର ବିଷୟବସ୍ତୁ ଚିତ୍ର ପରି ମନ ଆଗରେ ଭାସିଉଠେ। ଅତଏବ ଶିଶୁସାହିତ୍ୟରେ ସାଙ୍ଗୀତିକତା ଓ ମନୋରଞ୍ଜନ ଥିଲେ ତାହା ପିଲାମାନଙ୍କ ଦ୍ୱାରା ଅଧିକ ଆଦୃତ ହୋଇଥାଏ। ଶିଶୁମାନଙ୍କୁ ଅନ୍ୟ ସ୍କୁଲ ପାଠ୍ୟ ଓ ଖେଳକୁଦ ସହିତ ଶିଶୁ ସାହିତ୍ୟ ସହିତ ନିରନ୍ତର ଅନୁବନ୍ଧିତ କରିବା ଦରକାର।

ଡ. ଶରତ ଚନ୍ଦ୍ର ପରିଡା

ମୋ: ୯୪୩୭୭୭୬୯୦୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri