ଖୋଳତାଡ଼ କରିବ ଇଡି

ଭୁବନେଶ୍ୱର,୫।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କ ବେଆଇନ ଅର୍ଥ କାରବାରର ଗୁମର ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏବେ ଇଡି ଏହି ମାମଲାର ତଦନ୍ତ କରିବ। କିଭଳି ଭାବେ ବିରଞ୍ଚି ସାଢେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଗଚ୍ଛିତ କଲେ ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ସେନେଇ ଖୋଳତାଡ଼ କରାଯିବ। ବିରଞ୍ଚିଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି ଓ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ମିଶ୍ର ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଭିଜିଲାନ୍ସ ପକ୍ଷରୁ ମଧ୍ୟ ତଦନ୍ତ ଜାରି ରହିବ। ବିରଞ୍ଚିଙ୍କ ଏତେ ଟଙ୍କା ଠୁଳର ମୁଖ୍ୟ ଉଦ୍ଦେଶ୍ୟ କ’ଣ, ଏହା ପଛରେ ଚାକିରି ରାକେଟ ସମ୍ପୃକ୍ତ କି ନାହିଁ ପ୍ରଭୃତି ବିଭିନ୍ନ ବିଷୟରେ ତାଙ୍କୁ ପଚରାଉଚରା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଅଧିକ ତଥ୍ୟ ହାସଲ ଉଦ୍ଦେଶ୍ୟରେ ବିରଞ୍ଚିଙ୍କୁ ଭିଜିଲାନ୍ସ ମଙ୍ଗଳବାରଠାରୁ ୪ଦିନିଆ ରିମାଣ୍ଡରେ ନେଇଛି। ଚାକିରି ପାଇଥିବା ଓ ଚାକିରି ପାଇଁ ଆବେଦନ କରିଥିବା ବ୍ୟକ୍ତି ବିରଞ୍ଚିଙ୍କୁ କେତେ ଟଙ୍କା ଦେଇଛନ୍ତି ଏବଂ ଏହି ଆର୍ଥିକ କାରବାରରେ କେହି ବଡ ଅଧିକାରୀ ସାମିଲ ଅଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ଭିଜିଲାନ୍ସ ଅନୁସନ୍ଧାନ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ଦ୍ୱିତୀୟ ଥର ଭିଜିଲାନ୍ସ ପକ୍ଷରୁ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଜୁଲାଇ ୩୧ରେ ବିରଞ୍ଚିଙ୍କୁ ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ ବାସଭବନ ଓ କଟକର ଶ୍ୱଶୁର ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ମୋଟ ୩ କୋଟି ୫୧ଲକ୍ଷ ଓ ୫୧ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା। ଏହା ତାଙ୍କ ଆୟର ୨୬୮% ଅଧିକ ବୋଲି କୁହାଯାଇଥିଲା। ଏ ନେଇ ମାମଲା ନଂ. ୧୬/୨୧ ରୁଜୁ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ବିରଞ୍ଚି ମୁଖ୍ୟ ଅଭିଯୁକ୍ତ ଥିବାବେଳେ ତାଙ୍କ ସ୍ତ୍ରୀ, ଶଡ଼ୁ ଏବଂ ଅନ୍ୟ କେତେଜଣ ସହଯୋଗୀ ଥିବା ଦର୍ଶାଇ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।