ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ମାମଲା: ଆଜି ଚାର୍ଜଶିଟ୍‌ ଦାଖଲ କରିବ ଇଡି

ଭୁବନେଶ୍ୱର,୯।୧(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ରହିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ସୋମବାର କୋର୍ଟରେ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜଶିଟ ଦାଖଲ କରାଯିବ। ଏଥିସହ ଜେରା ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ଅଡିଓ ଓ ଭିଡିଓ ରେକର୍ଡ ମଧ୍ୟ ଇଡି ଦାଖଲ କରିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ଇଡି ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଦୁଇଟି ପର୍ଯ୍ୟାୟରେ ଓ ଜଗବନ୍ଧୁଙ୍କୁ ଗୋଟିଏ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା କରିଥିଲା। ଏଥିସହ ସିନେ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରମୋଦ ସ୍ବାଇଁ, ଶ୍ରଦ୍ଧାଞ୍ଜଳି ବେହେରା, ସୁନା ଦୋକାନୀ, ଠିକାଦାର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌, ଖଗେଶ୍ୱରଙ୍କ ସ୍ତ୍ରୀଙ୍କ ସମେତ ୧୫ରୁ ଅଧିକ ବ୍ୟକ୍ତିଙ୍କୁ ଇଡି ଜେରା କରି ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ପ୍ରସଙ୍ଗରେ ବହୁ ପ୍ରମାଣ ପାଇଛି। ନିକଟରେ ଝାରପଡ଼ା ଜେଲରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଡିଜିଟାଲ ପ୍ରମାଣପତ୍ର ସଂକ୍ରାନ୍ତରେ ମଧ୍ୟ ପଚରାଉଚରା କରିଥିଲା। ଇଡି ଉକ୍ତ ଚାର୍ଜଶିଟ୍‌ରେ ବେଆଇନ ଅର୍ଥ କାରବାରର ସମସ୍ତ ଦିଗକୁ ନେଇ ପ୍ରମାଣ ରଖିଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଇଡି ସମସ୍ତ ୩ଜଣଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏଥିପାଇଁ କାରଣ ଦର୍ଶାଅ ନୋଟିସ୍‌ ଜାରି ରଖିଛି। ଆସନ୍ତା ୧୩ ତାରିଖରେ ଏନେଇ କୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ଅଭିଯୁକ୍ତମାନେ ଏନେଇ ସେମାନଙ୍କ ପକ୍ଷ ରଖିବେ। ଅନ୍ୟପଟେ ଅର୍ଚ୍ଚନାଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ରାୟ ଆଗାମୀ ଦିନରେ ଆସିବ ବୋଲି ସୂଚନା ମିଳିଛି।