ଶିକ୍ଷାରେ ଶ୍ରମର ଅର୍ଥନୈତିକ ବ୍ୟବହାର

ଅକ୍ଷୟ କୁମାର ମିଶ୍ର

ଅଭିଯୋଗ ହୁଏ ଆମ ଦେଶର ଶିକ୍ଷା ଏଯାଏ ଲର୍ଡ ମ୍ୟାକୁଲେଙ୍କ ଦ୍ୱାରା ପ୍ରଣୀତ ଶିକ୍ଷା ବ୍ୟବସ୍ଥାକୁ ଅନୁକରଣ ତଥା ଅନୁସରଣ କରିଚାଲିଛି। ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନ ପାରେ। ଏଭଳି ଶିକ୍ଷା ବ୍ୟବସ୍ଥା ଯୋଗୁ ଶିକ୍ଷାର ଅସଲ ଉଦ୍ଦେଶ୍ୟ ସାଧିତ ହେଉ ନାହିଁ। ଶିକ୍ଷାପ୍ରାପ୍ତ ପରେ ଶିକ୍ଷାର୍ଥୀ କେମିତି ଖଣ୍ଡିଏ ଚାକିରି କରି ସୁଖ ସ୍ବାଚ୍ଛନ୍ଦରେ ନିଜ ଜୀବନକୁ ଅତିବାହିତ କରିବ ତାହାହିଁ ତା’ର ମୂଳ ଲକ୍ଷ୍ୟ ବୋଲି ବିଚାର କରୁଛି। ଶିକ୍ଷା ବ୍ୟକ୍ତିର ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେଉଛି ନା ମାନବୀୟ ଚେତନାର ଅଭିବୃଦ୍ଧିରେ ସ୍ବୀୟ ଭୂମିକା ଗ୍ରହଣ କରିପାରୁଛି? ଏହି ଶିକ୍ଷା ସମସ୍ତଙ୍କ ପାଇଁ ରୋଜଗାରର ଗ୍ୟାରେଣ୍ଟି ସୃଷ୍ଟି କରିପାରୁଛି ନା ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଆଣି ଦେଉଛି ?
ଏବେ ଆଲୋଚନା କରିବା, ଆମ ପାଇଁ କେମିତି ଶିକ୍ଷା ବ୍ୟବସ୍ଥାଟିଏ ଜରୁରୀ ଥିଲା, କିନ୍ତୁ ହୋଇଛି କ’ଣ? ପ୍ରାଥମିକ ଭାବେ ଏହାହିଁ କୁହାଯାଇ ପାରେ ଯେଉଁ ଶିକ୍ଷା ସମୟ ଓ ଶ୍ରମର ଉପଯୁକ୍ତ ବିନିଯୋଗ କରି ଅର୍ଥନୈତିକ ଦିଗ ସହ ପ୍ରତ୍ୟକ୍ଷ ଭାବରେ ଯୋଡି ହୋଇ ମଣିଷକୁ ଆତ୍ମନିର୍ଭରଶୀଳ କରି ଗଢିବା ସଙ୍ଗେସଙ୍ଗେ ମାନବୀୟ ଚେତନାରେ ଉଦ୍‌ବୁଦ୍ଧ କରିବ ଏବଂ ଏକ ଭଲ ମଣିଷରେ ପରିଣତ କରିପାରିବ ସେମିତି ଏକ ଶିକ୍ଷା ବ୍ୟବସ୍ଥା ଆମ ଦେଶ ପାଇଁ ଜରୁରୀ ଥିଲା। କିନ୍ତୁ ତାହା ନ ଘଟି ସ୍ବାଧୀନୋତ୍ତର ଭାରତରେ ଯେତେ ସବୁ ଶିକ୍ଷା ବ୍ୟବସ୍ଥା ପ୍ରଣୟନ ହୋଇଛି ସେ ସବୁକୁ ବିଶ୍ଳେଷଣ କଲେ ମନେହୁଏ ଶିକ୍ଷାକୁ ମଣିଷର କେବଳ ବୌଦ୍ଧିକ ବିକାଶ ନିମନ୍ତେ ପ୍ରୟୋଗ କରାଯାଇଛି। ଅର୍ଥାତ୍‌ କେବଳ ମସ୍ତିଷ୍କର ବିକାଶ ପାଇଁ ବ୍ୟବହୃତ ହୋଇଛି। କିନ୍ତୁ ମସ୍ତିଷ୍କର ବିକାଶ ସହିତ ହୃଦୟର ବିକାଶ ଏବଂ ମାନସିକ ସ୍ତରର ସକାରାତ୍ମକ ମନୋଭାବର ଅଭ୍ୟୁଥାନ ନ ଘଟିଲେ ତାହା ଯେ ସାମୂହିକ ସ୍ବାର୍ଥରେ ଉପଯୋଗ ହୋଇପାରେନା ଏକଥାକୁ ଆମେ ବୋଧହୁଏ ଭୁଲି ଯାଇଛନ୍ତି। ଅବଶ୍ୟ ଏଥିପାଇଁ ବହୁତ ତର୍ଜମା ହୋଇଛି। ଅନେକ କମିଶନ ବସିଛି। ଗଦା ଗଦା ରିପୋର୍ଟ ଆସିଛି। ପ୍ରଥମେ ପ୍ରଥମେ ପରିମାଣାତ୍ମକ ଅଭିବୃଦ୍ଧି ଦିଗରେ ଗୁରୁତ୍ୱ, ତା’ପରେ ଗୁଣାତ୍ମକ ଶିକ୍ଷା ଉପରେ ଦୃଷ୍ଟିନିବଦ୍ଧ କରାଯାଇଛି। ଏହା ଦ୍ୱାରା ଶିକ୍ଷିତ ହାର ବଢିଛି, ବୁଦ୍ଧିମତ୍ତାର ବିକାଶ ହୋଇଛି ।
ଅପରପକ୍ଷେ ଶିକ୍ଷିତ ବେକାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ବେକାରି ସମସ୍ୟା ତ୍ରିମୁଖୀ ସଂକଟ ଯଥା- ପାରିବାରିକ, ସାମାଜିକ ଏବଂ ଅର୍ଥନୈତିକ ସଂକଟ ସୃଷ୍ଟିର କାରଣ ସାଜିଛି।
ଗାନ୍ଧିଜୀଙ୍କ ମତରେ ଶିକ୍ଷାର ଅର୍ଥ ସାକ୍ଷରତା ବଢାଇବା କିମ୍ବା କେବଳ ବୌଦ୍ଧିକ ବିକାଶ କରିବା ନୁହେଁ। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୁଏ ଯେତେବେଳେ 3-H ଅର୍ଥାତ୍‌ ହେଡ, ହ୍ୟାଣ୍ଡ ଓ ହାର୍ଟର ସମନ୍ବୟରେ ମଣିଷ ସ୍ବାବଲମ୍ବୀ ହୋଇ ଛିଡା ହୁଏ ଏବଂ ସମାଜ ପ୍ରତି ତା’ର ଉତ୍ତମ ଯୋଗଦାନ ରଖେ। ‘ସମାଜରୁ ଶିକ୍ଷା ଓ ସମାଜ ପାଇଁ ଶିକ୍ଷା’ ହେଉଛି ଯଥାକ୍ରମେ ଆହରଣ ଓ ବିତରଣ କ୍ଷେତ୍ର ରୂପେ ବିଚାର କରି ବ୍ୟବସ୍ଥାକୁ ସଜାଡିଲେ ଶିକ୍ଷା ଆଉ ଅଣଉତ୍ପାଦିତ କ୍ଷେତ୍ର ନ ହୋଇ ଉତ୍ପାଦନର ଉତ୍ସ ଭାବରେ କାର୍ଯ୍ୟ କରିବ । କିନ୍ତୁ ବିଡ଼ମ୍ବନା ହେଉଛି ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାର୍ଥୀଟି କେବଳ ପୁସ୍ତକଗତ ଜ୍ଞାନ ଆହରଣ କରିବାକୁ ବାଧ୍ୟ ହୁଏ, ଯାହା ପ୍ରତି ତା’ର ଆଗ୍ରହ ଥାଉ ବା ନ ଥାଉ। ପୁନଶ୍ଚ ପନ୍ଦର ସତର ବର୍ଷ ଧରି ଯେଉଁ ଜ୍ଞାନ ଆହରଣ କରେ ତାହା ଭବିଷ୍ୟତ ଜୀବନରେ କାମରେ ଲାଗେ ନାହିଁ ଯଦି ସେ ତଥାକଥିତ ନିଯୁକ୍ତିରୁ ବଞ୍ଚିତ ହୁଏ। ଗୋଟିଏ କଥାରେ କହିବାକୁ ଗଲେ ଶିକ୍ଷା ପ୍ରାପ୍ତି ପାଇଁ ସେ ଯେଉଁ ମୂଲ୍ୟବାନ ସମୟ ତକ ବିନିଯୋଗ କଲା ଏବଂ ମାନସିକ ଶ୍ରମଦାନ କଲା ତାହା ତା’ର ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କଲା ନାହିଁ। ଆମ ପାଠ୍ୟ ଖସଡା ଆମ ସମାଜକୁ ନେଇ ତିଆରି ହୋଇନାହିଁ କି ସମାଜ ପାଇଁ ଉପଯୋଗୀ ନୁହେଁ ଏକଥା ସହଜରେ ବୁଝିହୁଏ।
ଶିକ୍ଷା ମଣିଷକୁ ଜୀବିକା ଯୋଗାଇବା କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାଧ୍ୟମ ହେବା ଆବଶ୍ୟକ। ଆମ ଦୁର୍ଭାଗ୍ୟ ହେଉଛି ଶ୍ରେଣୀ କକ୍ଷରେ ଯାହା ପଢ଼ାହୁଏ ଏବଂ ପାଠ୍ୟ ଖସଡ଼ା ଯେମିତି ପ୍ରସ୍ତୁତ କରାଯାଇଛି ତାହା ବାସ୍ତବ ଜୀବନ ପାଇଁ କେତେ ଉପଯୋଗୀ କାହାକୁ ଅଛପା ନାହିଁ। ଅଥଚ ଯେଉଁସବୁ ବୃତ୍ତି ଉପରେ ନିର୍ଭର କରି ଲକ୍ଷ ଲକ୍ଷ ଲୋକ ଜୀବିକା ନିର୍ବାହ କରୁଥିଲେ ତାହା କ୍ରମେ ହଜିଯାଉଛି। ସମସ୍ତ ବୃତ୍ତିକୁ ବ୍ରତରେ ପରିଣତ କରିବା ପାଇଁ ଯେଉଁ ପ୍ରବୃତ୍ତି ଲୋଡା ତାହା ସୃଷ୍ଟି କରିଥାଏ ଶିକ୍ଷା। କିନ୍ତୁ ଶିକ୍ଷାରେ ଏସବୁର ସ୍ଥାନ ନାହିଁ। ଯଦି ଆଗ୍ରହ ଭିତ୍ତିରେ ମାଟି ନିର୍ମିତ ପାତ୍ର, ପଥର ମୂର୍ତ୍ତି ଗଢା, ସିଲେଇ କାମ, ବଢେଇ କାମ, ଲୁଗା ବୁଣା, କଣ୍ଢେଇ ତିଆରି କରିବା ଆଦି ଶିକ୍ଷା ପ୍ରାଥମିକ ସ୍ତରରୁ ଦିଆହୁଅନ୍ତା ତେବେ ଉପାର୍ଜନର ବିକଳ୍ପ ମାର୍ଗ ଯୁବଶକ୍ତିକୁ ଆତ୍ମନିର୍ଭରଶୀଳ କରି ଗଢିତୋଳନ୍ତା। ଦ୍ୱତୀୟରେ ପିଲାମାନଙ୍କ ନିକଟରେ ଥିବା ଅନନ୍ୟ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା ଏବଂ ତା’ର ଉନ୍ମେଷ କରିବା ଶିକ୍ଷା ପଦ୍ଧତିର ଅନ୍ତଃସ୍ବର ହେବା ଉଚିତ। ବୋଧହୁଏ ଏଇଥିପାଇଁ ଆମ ରାଜ୍ୟରେ କିଛି ବିଦ୍ୟାଳୟରେ ସରକାର କଳା ଶିକ୍ଷକ ନାମରେ ଦକ୍ଷତା ଥିବା ଯୁବକଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଇଛନ୍ତି। ସବୁ ସ୍କୁଲରେ ନୁହେଁ, ଏମାନେ କ’ଣ ପଢାଇବେ ସେଥିପାଇଁ ପାଠ୍ୟ ଖସଡା ମଧ୍ୟ ନାହିଁ। ଫଳରେ ସ୍କୁଲର ପ୍ରଧାନ ଶିକ୍ଷକମାନେ ଏମାନଙ୍କୁ ସେହି ପାରମ୍ପରିକ ଶିକ୍ଷା ପ୍ରଦାନରେ ନିୟୋଜିତ କରି ଶିକ୍ଷକ ଅଭାବଜନିତ ସମସ୍ୟାକୁ କିଛି ପରିମାଣରେ ଲାଘବ କରୁଛନ୍ତି। ଯଦି ପିଲାମାନେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଅଭିନୟ ଆଦିରେ ତାଲିମ ପାଇ ପାରଦର୍ଶିତା ପ୍ରତିପାଦିତ କରି ପାରନ୍ତେ ତେବେ ଅର୍ଥନୈତିକ ଦୁଃସ୍ଥିତିରୁ ମୁକ୍ତି ପାଇବାର ପଥ ନିଜେ ଖୋଜି ନିଅନ୍ତେ। ତୃତୀୟରେ ଆମ ଦେଶ ଡିଜିଟାଲ ଦୁନିଆରେ ପ୍ରବେଶ କରିସାରିଛି ବୋଲି ଆମେ କହୁଛନ୍ତି। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେମିତି ସୂଚନା ନାହିଁ। ୨୦୧୫ରେ ଆମ ରାଜ୍ୟର ଗଣଶିକ୍ଷା ବିଭାଗ ତରଫରୁ କିଛି ବିଦ୍ୟାଳୟକୁ କମ୍ପ୍ୟୁଟର ଯୋଗାଇଦେବା ସହିତ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦିଆଗଲା । କିନ୍ତୁ କମ୍ପ୍ୟୁଟର ଶିକ୍ଷାର ସୁଯୋଗ ସୃଷ୍ଟି କରାଗଲା ନାହିଁ। ପାଞ୍ଚବର୍ଷ ପରେ ସେହି ଶିକ୍ଷକମାନଙ୍କୁ ଛଟେଇ କରିଦିଆଗଲା। ଏବେ କୋଟି କୋଟି ଟଙ୍କାର କମ୍ପ୍ୟୁଟର କେଉଁ କାମରେ ଲାଗୁଛି ପଚାରିଲେ ଉତ୍ତର ପାଇବା କଷ୍ଟ। ଯଦି ସତସତିକା ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆ ହୁଅନ୍ତା ତେବେ ଚାକିରି ପାଇଁ ଆଜି ଯେଉଁ ଲମ୍ବା ଲାଇନ ଲାଗୁଛି ତାହା କିଛି ପରିମାଣରେ କମ୍‌ ହୁଅନ୍ତାନି କି? ଯେଉଁ ପିଲାମାନେ ପାଠରେ ଦୁର୍ବଳ ଅଥଚ ଅନ୍ୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରୁଛନ୍ତି ସେମାନଙ୍କୁ ସେହି ସେହି କ୍ଷେତ୍ରରେ ପାରଙ୍ଗମ କରିପାରିଲେ ସେମାନେ ଜଣେ ଜଣେ କୁଶଳୀ କାରିଗର, ନିପୂଣ ନୃତ୍ୟଶିଳ୍ପୀ, ପ୍ରଖ୍ୟାତ କଣ୍ଠଶିଳ୍ପୀ, ଲୋକପ୍ରିୟ ଅଭିନେତା,ଚିତ୍ତାକର୍ଷକ ଚିତ୍ରଶିଳ୍ପୀ, ଦକ୍ଷ ଡାଟାଅପରେଟର ରୂପେ ଦଣ୍ଡାୟମାନ ହେବେ। ଶିକ୍ଷା ଯେ ସର୍ବାଙ୍ଗୀନ ବିକାଶର ଶ୍ରେଷ୍ଠ ମାଧ୍ୟମ ଏଥିରେ ଆଉ ଦ୍ୱନ୍ଦ୍ୱ ରହିବ ନାହିଁ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ- ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri