ଅର୍ଥନୈତିକ ସର୍ଭେ ରିପୋର୍ଟରେ ବିଫଳତା ଲୁଚାଯାଇଛି: ଭାଜପା

ଭୁବନେଶ୍ବର,୨୫ା୨(ବ୍ୟୁରୋ): ମିଥ୍ୟା ତଥ୍ୟର ଦସ୍ତାବିଜ ହେଉଛି ଗୁରୁବାର ଉପସ୍ଥାପିତ ହୋଇଥିବା ୨୦୨୨-୨୩ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଦ୍ଧସତ୍ୟ, ଗୋଲାପୀ ସ୍ବପ୍ନ ଆଧାରିତ ଏହି ରିପୋର୍ଟରେ ଅନେକ ବିଫଳତାକୁ ରାଜ୍ୟ ସରକାର ଲୁଚାଇଛନ୍ତି। ଆସନ୍ତା ଫେବୃୟାରୀ ୨୮ରେ ଜାତୀୟ ଆୟ ୨୦୨୨-୨୩ର ୨ୟ ଅଗ୍ରିମ ଆକଳନ ପ୍ରକାଶ ପାଇବାକୁ ଥିବାବେଳେ ରାଜ୍ୟ ସରକାର ତରବରିଆ ଭାବେ ପ୍ରଥମ ଅଗ୍ରିମ ଆକଳନକୁ ଭିତ୍ତିକରି ରାଜ୍ୟର ଅଭିବୃଦ୍ଧି ହାର ପ୍ରକାଶ କରିବା ଆଦୌ ଗ୍ରହଣୀୟ ନୁହେଁ। ସେହିପରି ନିଜ ଅଭିବୃଦ୍ଧି ହାର ଓ ମୁଣ୍ଡ ପିଛା ଆୟର ତୁଳନା ଅନ୍ୟ ତୁଳନୀୟ ରାଜ୍ୟଗୁଡ଼ିକ ସହ ନ କରି ଦେଶର ଅଭିବୃଦ୍ଧି ହାର ଓ ମୁଣ୍ଡ ପିଛା ଆୟ ସହିତ ତୁଳନା କରିବା ଆବଶ୍ୟକ ବୋଲି ଭାଜପା ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସତ୍ୟବ୍ରତ କହିଛନ୍ତି, ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଆର୍ଥତ୍କ ବର୍ଷ ୨୦୧୨ ଓ ୨୦୨୧ ମଧ୍ୟରେ ଓଡ଼ିଶାର ସିଏଜିଆର୍‌ ୫.୭୩ ପ୍ରତିଶତ ଥିବାବେଳେ ଗୁଜରାଟ, କର୍ନାଟକ, ହରିୟାଣା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁ ରାଜ୍ୟ ତଳେ ଓଡ଼ିଶାର ସ୍ଥାନ ରହିଛି। ଅପେକ୍ଷାକୃତ ବୃହତ୍‌ ରାଜ୍ୟଗୁଡ଼ିକର ଅର୍ଥନୀତିଠାରୁ କମ୍‌ ଅଭିବୃଦ୍ଧି ହାସଲ ରାଜ୍ୟ ସରକାରଙ୍କ ପାରିବାପଣିଆର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଅଭିବୃଦ୍ଧିର ଏହି ତାରତମ୍ୟ ନେଇ ଗତିକଲେ ମଧ୍ୟ ଦେଶର ମୁଣ୍ଡ ପିଛା ଆୟ ସହିତ ସମକକ୍ଷ ହେବା ପାଇଁ ଓଡ଼ିଶାକୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଭବିଷ୍ୟତ ପିଢ଼ି ପାଇଁ ଏହା ରାଜ୍ୟ ସରକାରଙ୍କ କେଉଁ ପ୍ରକାର ଉପହାର ବୋଲି ସେ ପ୍ରଶ୍ନ କରିଛନ୍ତି।