ଅର୍ଥନୈତିକ ଉଦାରୀକରଣ ଏବଂ ପରିବେଶ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ସ୍ୱାଧୀନତା ପରଠାରୁ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ଦିଗ୍‌ଦର୍ଶନରେ ପ୍ରଚଳିତ ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠିତ ବୃହତ୍‌ ଶିଳ୍ପ ଉପରେ ନିର୍ଭରଶୀଳ ତଥା ସାମ୍ୟବାଦୀ ଆଦର୍ଶରେ ପରିଚାଳିତ ଅର୍ଥନୈତିକ ବ୍ୟବସ୍ଥା ବିଶେଷ ଫଳପ୍ରଦ ନ ହେବାରୁ ଏବଂ ବୈଦେଶିକ ଋଣଭାର ବଢ଼ିବଢ଼ି ଚାଲିବାରୁ, ୧୯୯୧ ମସିହାରେ ତଦାନିନ୍ତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନମୋହନ ସିଂହଙ୍କ ନେତୃତ୍ୱରେ ଆମ ଦେଶରେ ପ୍ରବର୍ତ୍ତିତ ହେଲା ଅର୍ଥନୈତିକ ଉଦାରୀକରଣ ବା ଜଗତୀକରଣ। ଫଳରେ ଦେଶର ଆର୍ଥିକ ଅବସ୍ଥାରେ ସୁଧାର ଆସିଲା। ଅନ୍ୟ ଦେଶ ସହିତ ବ୍ୟବସାୟିକ ଅର୍ଥ ଦେଣନେଣରେ ସନ୍ତୁଳନ ସଙ୍କଟ ଦୂର ହେଲା, ଋଣଭାର ହ୍ରାସ ପାଇଲା ଏବଂ ସାରା ବିଶ୍ୱରେ ଏବେ ଭାରତ ଅନ୍ୟତମ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ରୂପେ ମୁଣ୍ଡ ଟେକିଛି। ଇତିମଧ୍ୟରେ ଅତିବାହିତ ହୋଇଗଲାଣି ତିନୋଟି ଦଶକ। ଅତଏବ ଏବେ ଏହାର ଲାଭକ୍ଷତି ଆକଳନ କରିବା ଆରମ୍ଭ ହୋଇଛି। ଫଳରେ ଜଣାପଡ଼ିଛି ଯେ, ଏହି ସମୟ ମଧ୍ୟରେ ଦେଶର ଦୃଶ୍ୟମାନ ଅର୍ଥନୈତିକ ବିକାଶ ଏବଂ ଲୋକଙ୍କ ମୁଣ୍ଡପିଛା ଆୟ କିଛି ପରିମାଣରେ ବଢ଼ିଛି ସତ, ହେଲେ ତା’ର ଘୋର ପ୍ରଭାବ ପଡ଼ିଛି ଆମ ପରିବେଶ ଏବଂ ପରିସଂସ୍ଥା ଉପରେ।
ସରକାରୀ ଆକଳନ ଅନୁସାରେ ଇତିମଧ୍ୟରେ ସହରୀକରଣ ଇତ୍ୟାଦି ଲାଗି ଦଖଲ ହୋଇଛି ୧୫,୦୦୦ ବର୍ଗକିଲୋମିଟର ଜଙ୍ଗଲ ଏବଂ ବିବିଧ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ଆହୁରି ୧୪,୦୦୦ ବର୍ଗକିଲୋମିଟର। ଏହା ବ୍ୟତୀତ ରହିଛି ଖଣିଖନନ ଏବଂ ଗମନାଗମନ ପାଇଁ ରାସ୍ତା ନିର୍ମାଣ ଆଦି। ଅବଶ୍ୟ କେତେକ ସ୍ଥାନରେ ପୁନଃବନୀକରଣ ଯୋଜନାମାନ କାର୍ଯ୍ୟକାରୀ ହୋଇଛି। ତେବେ, ତାହା ପ୍ରାକୃତିକ ଅରଣ୍ୟର ଉଚିତ ବିକଳ୍ପ ନୁହେଁ, କାରଣ କଟାଯାଇଥିବା ବଡ଼ ବଡ଼ ଗଛଗୁଡ଼ିକର ଅବସ୍ଥାକୁ ଆସିବା ପାଇଁ ନୂତନ ଭାବେ ରୋପିତ ଗଛଗୁଡ଼ିକୁ ୩୦/୪୦ ବର୍ଷ ଲାଗିଯାଏ। ଅନ୍ୟପକ୍ଷରେ, ତହିଁରୁ ଅନେକ ବହିରାଗତ ପ୍ରଜାତିର, ସ୍ଥାନୀୟ ପ୍ରାକୃତିକ ପ୍ରଜାତିର ନୁହନ୍ତି। ତେଣୁ ସେଗୁଡ଼ିକ ଶହ ଶହ ବର୍ଷ ସମୟ ନେଇ ପ୍ରକୃତି ପ୍ରତିଷ୍ଠା କରିଥିବା ପରିସଂସ୍ଥା, ବିଶେଷକରି, ଜୈବବିବିଧତା ଫେରାଇ ଆଣିବାକୁ ଅସମର୍ଥ।
ଏହାବ୍ୟତୀତ ଏହି ଅର୍ଥନୈତିକ ସଂସ୍କାରରେ ପ୍ରଧାନ ଭୂମିକା ଗ୍ରହଣ କରିଥିବା ଲୁହା ଓ ଇସ୍ପାତ, ସିମେଣ୍ଟ, କୋଇଲା, ପେଟ୍ରୋଲିୟମ, ସାର, ସଂଶ୍ଲେଷିତ ରେଜିନ୍‌, ପ୍ଲାଷ୍ଟିକ୍‌, କୃତ୍ରିମ ତନ୍ତୁ ଏବଂ ରାସାୟନିକ ଶିଳ୍ପ ଅତ୍ୟନ୍ତ ପ୍ରଦୂଷଣକାରୀ। ଆମ ବାୟୁ ଓ ଜଳକୁ ଏହା ଚିନ୍ତାଜନକ ଭାବେ ପ୍ରଦୂଷିତ କରିଚାଲିଛି। ପରିଣାମସ୍ବରୂପ କେବଳ ଯେ ଆମ ଜନସ୍ବାସ୍ଥ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି ତା’ ନୁହେଁ; ଜଳସମ୍ପଦ, କୃଷି, ପଶୁପାଳନ, ମୃତ୍ତିକା, ଅରଣ୍ୟସମ୍ପଦ, ଜୈବବିବିଧତା ଆଦିକୁ ମଧ୍ୟ ତାହା ପ୍ରସାରିତ ହୋଇଛି। ଅନେକ କ୍ଷେତ୍ରରେ ତାହା ଅଣଲେଉଟା ଅବସ୍ଥାକୁ ଆସିଯାଇଛି। ଅତଏବ ପ୍ରକୃତି ସେ କ୍ଷତି ପୂରଣ ପାଇଁ ଅସମର୍ଥ ହେବାରୁ ତାହା ହୋଇଯାଇଛି ଦୀର୍ଘସ୍ଥାୟୀ କିମ୍ବା ଚିରସ୍ଥାୟୀ। ଆକଳନ କଲେ ଅର୍ଥନୈତିକ ଉଦାରୀକରଣ ହେତୁ ଥିବା ଅର୍ଥନୈତିକ ବିକାଶ ତୁଳନାରେ ଏ କ୍ଷତି ଅନେକ ବେଶି ହେବ।
ଆମ ଅର୍ଥନୀତିର ଏହି ଉଦାରୀକରଣ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିଲଗାଣ ପାଇଁ ଥିବା ବ୍ୟବସାୟିକ ପ୍ରତିବନ୍ଧକ ଓ କଟକଣାକୁ ହଟାଇବାକୁ ଲାଗିଲା। ଫଳରେ ୧୯୮୧ରୁ ୧୯୯୧ ମଧ୍ୟରେ ଏହା ମାତ୍ର ୧୩ ବିଲିୟନ ଟଙ୍କା ଥିଲାବେଳେ ୨୦୨୦ ବେଳକୁ ୩, ୫୨୫ ବିଲିୟନ ଟଙ୍କାକୁ ବୃଦ୍ଧି ପାଇଲା। ଅନ୍ୟପକ୍ଷରେ ଇତିମଧ୍ୟରେ ବିକଶିତ ଦେଶଗୁଡ଼ିକ ତାଙ୍କ ପରିବେଶକୁ ନିର୍ମଳ (ବିଶୋଧନ) କରିବାକୁ ଲାଗିଲେ। ସେଠାରେ ଏଥିପାଇଁ ଆଇନମାନ ପ୍ରଣୟନ କରାଗଲା। ଆମ ଦେଶରେ ସେପରି କିଛି କଟକଣା ନ ଥିବାରୁ ବିଦେଶୀ କମ୍ପାନୀଗୁଡ଼ିକ ଏଠାରେ ପ୍ରତିଷ୍ଠା କରିବାକୁ ଲାଗିଲେ ଅଧିକ ଲାଭଦାୟୀ ପ୍ରଦୂଷଣକାରୀ ଶିଳ୍ପ ସମୂହ। ଫଳରେ ଏଠାରେ ପ୍ରଦୂଷଣ ବୃଦ୍ଧି ପାଇବାକୁ ଲାଗିଲା। ସରକାରୀ ସଂସ୍ଥା ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାର୍ନମେଣ୍ଟ ଦ୍ୱାରା ପ୍ରସ୍ତୁତ ‘ଦ ଷ୍ଟେଟ ଅଫ୍‌ ଏନ୍‌ଭାର୍ନମେଣ୍ଟ ରିପୋର୍ଟ ୨୦୨୦’ରେ ଦର୍ଶାଯାଇଛି ଯେ, ଭାରତର ୮୮ଟି ବୃହତ୍‌ ଶିଳ୍ପାୟନ ଅଞ୍ଚଳ ମଧ୍ୟରୁ ୩୫ଟି ସବୁଦିଗରୁ ପରିବେଶ ଅବକ୍ଷୟ ପ୍ରଦର୍ଶନ କଲାବେଳେ, ୩୩ଟି ବାୟୁପ୍ରଦୂଷଣ, ୪୫ଟି ଜଳପ୍ରଦୂଷଣ ଏବଂ ୧୭ଟି ଭୂମି ପ୍ରଦୂଷଣ ବ୍ୟାପକ ଭାବେ ଘଟାଉଛନ୍ତି।
ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ଏବଂ ସେଥିସହିତ ତାଳଦେଇ ବଢ଼ିଚାଲିଥିବା ସହରୀକରଣ ତଥା ଯାନବାହନ ଅଧିକାଂଶ ପ୍ରମୁଖ ସବୁଜଗୃହ ବାଷ୍ପ ନିର୍ଗମନର କାରଣ। ସେଗୁଡ଼ିକର ଅନ୍ତର୍ଭୁକ୍ତ ହେଲା ଅଙ୍ଗାରକାମ୍ଳ, ମିଥେନ୍‌, ଯବକ୍ଷାରଜାନର ଅକ୍‌ସାଇଡ୍‌ ସମୂହ ଏବଂ ଗନ୍ଧକର ଡାଇଅକ୍‌ସାଇଡ୍‌। ୨୦୧୮ରେ ‘କ୍ଲାଇମେଟ୍‌ ଓ୍ବାଚ୍‌’ ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ସବୁଜଗୃହ ବାଷ୍ପ ନିର୍ଗମନରେ ବିଶ୍ୱରେ ଭାରତର ସ୍ଥାନ ପଞ୍ଚମ। ପରିଣାମସ୍ବରୂପ ଏଠାରେ ଜଳବାୟୁରେ ବିଭ୍ରାଟ ସୃଷ୍ଟି ହୋଇଛି। ଅନାବୃଷ୍ଟି, ଅତିବୃଷ୍ଟିଠାରୁ ଆରମ୍ଭ କରି ଝଡ଼ବାତ୍ୟା ଭଳି ଘଟଣା ବଢ଼ିଚାଲିଛି। ସମୁଦ୍ରର ଜଳପତନ ବୃଦ୍ଧି ହେତୁ ଆମର ଅନେକ ଉପକୂଳବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ସହର ଜଳାର୍ଣ୍ଣବ ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଶୁଣାଇସାରିଲେଣି।
ଅର୍ଥନୈତିକ ଉଦାରୀକରଣ ହେତୁ ଆମ ଦେଶରେ ବାୟୁପ୍ରଦୂଷଣ ବଢ଼ିଚାଲିଲା। ଫଳରେ ଏବେ ବିଶ୍ୱର ୩୦ଟି ସର୍ବାଧିକ ପ୍ରଦୂଷିତ ନଗରୀ ମଧ୍ୟରୁ ୨୧ଟି ଭାରତର। ଏହା ୭ ଲକ୍ଷ କୋଟି ଟଙ୍କା କ୍ଷତି ଘଟାଇଛି ବୋଲି ‘କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ୍‌’ର ଆକଳନରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ୟେଲ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ପର୍ଯ୍ୟବେକ୍ଷଣ ଅନୁସାରେ ପରିବେଶୀୟ ଅସମୀଚୀନ ବ୍ୟବହାର ସୂଚନାଙ୍କରେ ବିଶ୍ୱର ୧୮୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୬୮। କାରଣ ଏଠାରେ ପରିବେଶ ସୁରକ୍ଷା ଲାଗି ବିବିଧ ନିୟମାବଳୀ ପ୍ରଣିତ ହୋଇଥିଲେ ହେଁ ସେସବୁ କେବଳ ଅମାନ୍ୟ କରିବାରେ ହିଁ ପାଳିତ ହୁଏ।
ଅବଶ୍ୟ, ଇତିମଧ୍ୟରେ ଦେଶର ଉଚ୍ଚତମ ନ୍ୟାୟାଳୟ ଏବଂ ‘ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ୍‌’ ଅର୍ଥନୈତିକ ଉଦାରୀକରଣର ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ବିଚାରକୁ ନେଇ ଏହାର ନିରାକରଣ ଲାଗି ନିର୍ଦ୍ଦେଶମାନ ଜାରି କରିଛନ୍ତି। କିନ୍ତୁ ତାହା ଆମ ଦୀର୍ଘସ୍ଥାୟୀ ଅର୍ଥନୀତି ପ୍ରତି ଏକ ବଡ଼ ବିପଦ ରୂପେ ମୁଣ୍ଡ ଟେକିଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟା ସମାଧାନ ପାଇଁ ଯଥେଷ୍ଟ ନୁହେଁ। ସେଥିପାଇଁ ‘ଦ ଓ୍ବାଲର୍‌ଡ୍‌ ଇକୋନୋମିକ୍‌ ଫୋରମ୍‌’ ଦ୍ୱାରା ୨୦୨୦ରେ ପ୍ରକାଶିତ ରିପୋର୍ଟରେ ସମଗ୍ର ବିଶ୍ୱରେ ଜୈବବିବିଧତା ଏବଂ ଜଳବାୟୁ ସମ୍ପର୍କିତ ବିପଦର ସୂଚନା ଦିଆଯାଇଛି ଓ ଭାରତ ପ୍ରତି ଏହା ଗୁରୁତର ହୋଇଚାଲିଥିବା ଦର୍ଶାଇଛନ୍ତି। ଯଥାର୍ଥ ଜଳବାୟୁ ନୀତି ପ୍ରଣୟନ ନ କଲେ କିମ୍ବା ପରିବେଶ ଅପେକ୍ଷା ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେଇ ଚାଲିଲେ ଏ ସମସ୍ୟା ବଢ଼ିବଢ଼ି ଚାଲିବ। ଏଣୁ ଏହା ଯଥାଶୀଘ୍ର ନିଜର ଅର୍ଥନୀତିକୁ ଏକବିଂଶ ଶତାବ୍ଦୀ ଉପଯୋଗୀ ଅଙ୍ଗାରକ ନିରପେକ୍ଷତା, ଅର୍ଥାତ୍‌ ଅଙ୍ଗାରକ ନିର୍ଗମନକୁ ଶୂନ୍‌ ସ୍ତରକୁ ଆଣିବା ଲାଗି ସମୁଚିତ ପଦକ୍ଷେପ ନେବା ଉଚିତ। ଗ୍ରାମାଞ୍ଚଳରେ ଅରଣ୍ୟଗୁଡ଼ିକର ପୁନରୁଦ୍ଧାର, ଚାଷଜମି କଡ଼ରେ ଅରଣ୍ୟ ସୃଷ୍ଟି, ସହନୀୟ ମତ୍ସ୍ୟଚାଷ ଏବଂ ଉଦ୍ୟାନକୃଷି, ଜୈବକୃଷି, ପୁନଃନବୀକରଣକ୍ଷମ ଶକ୍ତିର ବ୍ୟବହାର, ଶକ୍ତି ଅପଚୟ କରୁ ନ ଥିବା ସବୁଜ ଭିତ୍ତିଭୂମି ଏବଂ ତାହା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ଦ୍ୱାରା ହିଁ ଏହା ସମ୍ଭବ।
ଏସବୁ ଦିଗରେ ପଦକ୍ଷେପ ଲାଗି ସରକାରଙ୍କ ଘୋଷିତ ନୀତି ସ୍ବାଗତଯୋଗ୍ୟ। ତେବେ ତାହା ଉଚିତ ସମୟରେ ଏବଂ ଠିକ୍‌ ରୂପେ କାର୍ଯ୍ୟକାରୀ ହେବା ଆବଶ୍ୟକ। ଉଦାହରଣ ସ୍ବରୂପ, ଏବେ ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନ ବଦଳରେ ପୁନଃ ନବୀକରଣକ୍ଷମ ସୌରଶକ୍ତି, ବାୟୁ ଶକ୍ତି ଆଦି ଉପରେ ଗୁରୁତ୍ୱ ଦେବା ଆରମ୍ଭ ହୋଇଛି। ଫଳରେ ୨୦୨୨ ସୁଦ୍ଧା ୧୭୫ ଜୀଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କିନ୍ତୁ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହା ପହଞ୍ଚିଛି ୪୦.୦୯ ଗିଗାଓ୍ବାଟ୍‌ରେ। ସେହିପରି ପୁନଃ ବନୀକରଣ କ୍ଷେତ୍ରରେ ଆମେ ଆଶାଜନକ ଭାବେ ସଫଳତା ହାସଲ କରିପାରି ନାହୁଁ। ଯାହା ବି ପୁନଃ ବନୀକରଣ ହେଉଛି ତାହା ପରିସଂସ୍ଥାକୁ ସୁରକ୍ଷା ଦେବାଲାଗି ସମର୍ଥ ହେଉନାହିଁ। ପରିଣାମ ସ୍ବରୂପ, ବାୟୁରେ ଅଙ୍ଗାରକାମ୍ଳ ସର୍ବୋଚ୍ଚ ନିରାପଦ ସ୍ତର ନିୟୁତ ପ୍ରତି ୪୦୦ ଭାଗ ଅତିକ୍ରମ କରି ପ୍ରାୟ ୪୪୦ ଭାଗରେ ପହଞ୍ଚି ଯାଉଛି। ଅନ୍ୟାନ୍ୟ ସବୁଜଗୃହ ବାଷ୍ପ କ୍ଷେତ୍ରରେ ମଧ୍ୟ ସେହି ଅନୁରୂପ ଘଟୁଛି। ଏଣୁ ପରିବେଶର ଉଷ୍ମତା ବଢ଼ି ବଢ଼ି ଚାଲିଛି। ପୁନଶ୍ଚ ଆବର୍ଜନାର ସୁପରିଚାଳନା ଯଥାଯଥ ଭାବେ ହୋଇପାରୁ ନ ଥିବା ହେତୁ ଆମ ଦେଶର ଅଧିକାଂଶ ନଦୀ ଅଳ୍ପବହୁତ ପ୍ରଦୂଷିତ ହେଲାବେଳେ ବାଷ୍ପୀୟ ନିର୍ଗମନ ବଢ଼ି ଚାଲିବା ଯୋଗୁ ଅଧିକାଂଶ ସହରର ବାୟୁ ସର୍ବୋଚ୍ଚ ନିରାପଦ ସୂଚକାଙ୍କ ଊର୍ଦ୍ଧ୍ୱରେ ରହୁଛି। ଜନସ୍ବାସ୍ଥ୍ୟ ଏବଂ ମାନବ ସମ୍ବଳ ଉପରେ ଏହାର ଘୋର ନକାରାତ୍ମକ ପ୍ରଭାବ ପଡୁଛି। ମୋଟାମୋଟି ଭାବେ କହିବାକୁ ଗଲେ ଅର୍ଥନୈତିକ ଉଦାରୀକରଣ ହେତୁ ଅଧିକ ବୃହତ୍‌ ଶିଳ୍ପ ଏବଂ ସହର ପ୍ରତିଷ୍ଠା ହେବା ଫଳରେ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ବଢ଼ିବାରେ ଲାଗିଛି। ଏହାକୁ ପ୍ରତିହତ କରିବାକୁ ହେଲେ ଆମେ ସଚେତନ ତଥା ସକ୍ରିୟ ହେବା ଆବଶ୍ୟକ । କେବଳ ଆର୍ଥିକ ଲାଭ ପଛରେ ନ ଧାଇଁ କୃଷିଠାରୁ ଶିଳ୍ପଯାଏ ସବୁ କ୍ଷେତ୍ରରେ ସହନୀୟ ପ୍ରଯୁକ୍ତିବିଦ୍ୟା ଆପଣାଇବାକୁ ପଡ଼ିବ।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର,
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri