ମୁଁ ନିକଟରେ ଦୁଇଟି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ଫେରିଛି। ଗୋଟିଏ ଥିଲା ସାଂଘାଇରେ ଅନୁଷ୍ଠିତ ବଣ୍ଡ୍ ସମ୍ମିଳନୀ ଏବଂ ଅନ୍ୟଟି ମୁମ୍ବାଇ ଲିଟ୍ଫେଷ୍ଟ। ସାଂଘାଇ ବୈଠକରେ ଆମ ସମୟର କେତେକ ଅତ୍ୟନ୍ତ ଜରୁରୀ ଅର୍ଥନୈତିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏଥିରେ ଚାଇନା, ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ସ୍ଥାନରୁ ଅର୍ଥନୀତିଜ୍ଞ ଓ ନୀତି ନିର୍ଦ୍ଧାରକମାନେ ଯୋଗଦେଇଥିଲେ । ଅନ୍ୟପକ୍ଷରେ, ମୁମ୍ବାଇ ସାହିତ୍ୟ ମହୋତ୍ସବରେ ଭାରତର ବିଭିନ୍ନ ଅଞ୍ଚଳ ଏବଂ ଅନ୍ୟ କେତେକ ଦେଶର ଲେଖକ, କବି, କଳାକାରଙ୍କ ସମେତ ଜଣେ କିମ୍ବା ଦୁଇଜଣ ଅର୍ଥନୀତିଜ୍ଞ ମଧ୍ୟ ଏକତ୍ରିତ ହୋଇଥିଲେ। ବିଶ୍ୱ ଉଗ୍ର-ଜାତୀୟତାବାଦ ଦ୍ୱାରା ବିଭାଜିତ ହୋଇଯାଉଥିବାବେଳେ ଏଭଳି ବିଶ୍ୱସ୍ତରୀୟ ଆଲୋଚନା ଅସ୍ବସ୍ତିକର ମନେହୁଏ। । ଉଭୟ ସମ୍ମିଳନୀର ବିଷୟବସ୍ତୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିଲେ ମଧ୍ୟ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠିଥିଲା- କାରଖାନା ଶ୍ରମିକଙ୍କଠାରୁ ଆରମ୍ଭ କରି କଳାକାର ଏବଂ ସଙ୍ଗୀତଜ୍ଞଙ୍କ ପର୍ଯ୍ୟନ୍ତ, ସାଧାରଣ ଲୋକଙ୍କ ଜୀବନକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା କିପରି ପରିବର୍ତ୍ତନ କରିବ?
ତେବେ ରିକ୍ରୁସିଭ ସେଲଫ- ଇମ୍ପ୍ରୁଭମେଣ୍ଟ (ଆର୍ଏସ୍ଆଇ) ବା ନିରନ୍ତର ନିଜକୁ ନିଜେ ଉନ୍ନତ କରିବାର କ୍ଷମତା ବଳରେ ଏଆଇ ଏପରି ଏକ ନୂତନ ବୁଦ୍ଧିମାନ ପ୍ରଜାତିର ବିକାଶ ଘଟାଇପାରେ, ଯାହା ମଣିଷଠାରୁ ବହୁଗୁଣରେ ଶ୍ରେଷ୍ଠ ହେବାର ସମ୍ଭାବନା ରହିଛି, ଯାହାକୁ ଏଡ଼ାଇ ଦେଇପାରିବା ନାହିଁ । ଏହାର ଅର୍ଥ ହେଉଛି, ପୃଥିବୀରେ ପ୍ରାୟ ୩ ଲକ୍ଷ ବର୍ଷ ଧରି ପ୍ରଭୁତ୍ୱ ବିସ୍ତାର କରିଆସିଥିବା ମଣିଷକୁ ହୁଏତ ଦିନେ ବାନରମାନଙ୍କ ପରି ଏକ ଉନ୍ନତ ପ୍ରଜାତି (ଏଆଇ)ସହିତ ସହାବସ୍ଥାନ କରିବାର କଳା ଶିଖିବାକୁ ପଡ଼ିପାରେ।
କିନ୍ତୁ ଶିଖର ସମ୍ମିଳନୀଗୁଡ଼ିକରେ ମୁଁ ଏହି ବିଷୟରେ ଆଲୋଚନା କରି ନ ଥିଲି। ବରଂ ମୁଁ ଦର୍ଶାଇଥିଲି ଯେ, ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଗ୍ରଗତି ଅର୍ଥନୀତିର ଏକ ପୁରୁଣା ବିତର୍କକୁ ପୁଣିଥରେ ଉଜ୍ଜୀବିତ କରୁଛି। ତାହା ହେଉଛି, ଆମେ ଦାରିଦ୍ର୍ୟ ଦୂରୀକରଣକୁ ଅଧିକ ଗୁରୁତ୍ୱ ଦେବା ନା ଆର୍ଥିକ ଅସମାନତା ହ୍ରାସକୁ ନେଇ ଚିନ୍ତା କରିବା? ଅଧିକାଂଶ ମୁଖ୍ୟଧାରାର ଅର୍ଥନୀତିଜ୍ଞ ଯୁକ୍ତି କରନ୍ତି ଯେ, ଆମେ ଅସମାନତାକୁ ନେଇ ବ୍ୟସ୍ତ ନ ହୋଇ ଦାରିଦ୍ର୍ୟ ଦୂରୀକରଣ ପାଇଁ ଚେଷ୍ଟା କରିବା ଉଚିତ। କିନ୍ତୁ ଏବକାର ସ୍ଥିତିରେ ଏହି ଆଭିମୁଖ୍ୟ ଗ୍ରହଣୀୟ ହୋଇ ରହିନାହିଁ।
ଏଆଇ ଆସିବା ପରେ ଅତ୍ୟଧିକ ଅସମାନତା ଅର୍ଥାତ୍ ଅତି ଧନୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଆୟ କିମ୍ବା ସମ୍ପତ୍ତିର ବ୍ୟବଧାନ ମାନବ ସମାଜ ପାଇଁ ଏକ ବଡ଼ ବିପଦ ହୋଇପାରେ। ସେସିଲିଆ ରିକାପ ତାଙ୍କର ନିକଟରେ ପ୍ରକାଶିତ ପୁସ୍ତକ ‘ଦ ରୁଲର୍ସ’ ରେ ଉଲ୍ଲେଖ କରିଛନ୍ତି ଯେ ବୃହତ୍ ଟେକ୍ କମ୍ପାନୀଗୁଡ଼ିକର ଉତ୍ଥାନ ଯୋଗୁ ଅଳ୍ପ କେତେକ ବ୍ୟକ୍ତିଙ୍କ ହାତରେ ଅତ୍ୟଧିକ ଆଥିର୍ର୍କ କ୍ଷମତା କେନ୍ଦ୍ରୀଭୂତ ହୋଇଛି। ପାରମ୍ପରିକ ଭାବରେ ଅର୍ଥନୀତିଜ୍ଞମାନେ କୌଣସି ଦେଶର ଆୟ ଓ ସମ୍ପତ୍ତିର କେନ୍ଦ୍ରୀକରଣକୁ ମାପିବା ପାଇଁ ସେହି ଦେଶର ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକଙ୍କୁ ବିଚାରକୁ ନେଉଥିଲେ। କିନ୍ତୁ ୱାଲର୍ଡ ଇନଇକ୍ୱାଲିଟି ରିପୋର୍ଟ ୨୦୨୬ ଦର୍ଶାଉଛି ଯେ, ବର୍ତ୍ତମାନ ସବୁଠାରୁ ଧନୀ ୦.୦୦୧% ଲୋକଙ୍କ ପାଖରେ ପୃଥିବୀର ସବୁଠାରୁ ଗରିବ ୫୦ ପ୍ରତିଶତ ଲୋକଙ୍କ ମୋଟ ସମ୍ପତ୍ତି ତୁଳନାରେ ତିନି ଗୁଣ ଅଧିକ ସମ୍ପତ୍ତି ରହିଛି। ଏହାସହ ସେମାନଙ୍କ ସମ୍ପତ୍ତି ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବି ବଢ଼ୁଛି।
କାରଖାନାଗୁଡ଼ିକ ଯେତେବେଳେ ସମ୍ପୂର୍ଣ୍ଣ ଏଆଇଚାଳିତ ରୋବୋର ବିଶାଳ କାର୍ଯ୍ୟସ୍ଥଳୀରେ ପରିଣତ ହେବ ଏବଂ ସେଠାରେ ମାନବ ଶ୍ରମିକଙ୍କ ସଂଖ୍ୟା ଖୁବ୍ କମ ରହିବ, ସେତେବେଳେ ସମ୍ପତ୍ତି ଆହୁରି ଅଳ୍ପ କେତେକ ଲୋକଙ୍କ ହାତରେ କେନ୍ଦ୍ରୀଭୂତ ହୋଇପାରେ। ଏହାସହ ସୋସିଆଲ ମିଡିଆ ତଥା ଖବର ପ୍ରକାଶନ ସଂସ୍ଥାଗୁଡ଼ିକ କ୍ରମଶଃ ହାତଗଣତି କିଛି କୋଟିପତିଙ୍କ ନିୟନ୍ତ୍ରଣକୁ ଚାଲିଯିବା ଯୋଗୁ ଅଳ୍ପ କେତେକ ବୃହତ୍ ପ୍ରଯୁକ୍ତି ଶିଳ୍ପପତି ଅଭୂତପୂର୍ବ ରାଜନୈତିକ ପ୍ରଭାବ ବିସ୍ତାର କରୁଛନ୍ତି। ଏହା ଏକଚ୍ଛତ୍ରବାଦର ଉତ୍ଥାନକୁ ପ୍ରୋତ୍ସାହିତ କରୁଛି।
ତେଣୁ ଚରମ ଅସମାନତାକୁ ନିୟନ୍ତ୍ରଣ କେବଳ ଦାରିଦ୍ର୍ୟ ଦୂରୀକରଣର ଏକ ମାଧ୍ୟମ ନୁହେଁ, ବରଂ ଏହା ଗଣତନ୍ତ୍ରର ସୁରକ୍ଷା ଏବଂ ମାନବ ସମାଜର ଅସ୍ତିତ୍ୱ ପାଇଁ ଅତ୍ୟନ୍ତ ଜରୁରୀ। ଏହି ଉଦ୍ଦେଶ୍ୟରେ, ମୁଁ ‘ୟୁନିଭର୍ସାଲ ବେସିକ ଇନକମ’ (ୟୁବିଆଇ) ବା ସାର୍ବଜନୀନ ମୌଳିକ ଆୟ ଧାରଣାରୁ ଆଗକୁ ବଢ଼ି ‘ୟୁନିଭର୍ସାଲ ବେସିକ ଶେୟାର୍’ (ୟୁବିଏସ୍) ବା ସାର୍ବଜନୀନ ମୌଳିକ ଅଂଶଧନ କିମ୍ବା ବ୍ୟବସ୍ଥାର ପ୍ରସ୍ତାବ ଦେଇଥିଲି। ଉଭୟ ସମ୍ମିଳନୀରେ ଏହାକୁ ଉପସ୍ଥିତ ବ୍ୟକ୍ତିମାନଙ୍କ ସମର୍ଥନ ମଧ୍ୟ ମିଳିଥିଲା। ୟୁବିଆଇର ଲକ୍ଷ୍ୟ ହେଉଛି, ପ୍ରତ୍ୟେକ ନାଗରିକଙ୍କୁ ଏକ ନିର୍ଦ୍ଦିିିଷ୍ଟ ସର୍ବନିମ୍ନ ଆୟ ସ୍ତର ଉପରେ ରଖିବା। କିନ୍ତୁ ଏହା ଯଥେଷ୍ଟ ନୁହେଁ। ସବୁଠାରୁ ଧନୀ ୦.୦୦୧% ଲୋକ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ବିଶାଳ ଓ କ୍ରମବର୍ଦ୍ଧିଷ୍ଣୁ ବ୍ୟବଧାନକୁ କମାଇବା ପାଇଁ, ସାଧାରଣ ଲୋକଙ୍କୁ ବିଶ୍ୱ ଅର୍ଥନୀତିରୁ ମିଳୁଥିବା ଲାଭର ଏକ ଅଂଶ ମିଳିବା ଆବଶ୍ୟକ।
ନିଶ୍ଚିତ ଭାବେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ବିଷୟରେ ବିସ୍ତୃତ ଭାବରେ କାମ କରିବାକୁ ପଡ଼ିବ। ଜଣେ ଅର୍ଥନୀତିଜ୍ଞ ଭାବରେ ମୁଁ ଭଲ ଭାବରେ ଅବଗତ ଯେ, ଲାଭ ଅର୍ଜନ କରିବାର ଆକାଂକ୍ଷା ଅର୍ଥନୈତିକ ସମୃଦ୍ଧିକୁ ଆଗେଇ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ସୌଭାଗ୍ୟର କଥା ହେଉଛି,ଏପରି ସମ୍ପତ୍ତି କର ବ୍ୟବସ୍ଥା ଗଠନ କରିବା ଦରକାର, ଯାହା କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ଚାକିରି ହରାଇବାକୁ ଥିବା କିମ୍ବା ବାଧ୍ୟବାଧକତାରେ ଅତ୍ୟନ୍ତ କମ୍ ମଜୁରିରେ କାମ କରୁଥିବା ଅନେକ କୋଟି ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି କରିପାରିବ। କିନ୍ତୁ ଏହା ଯେଭଳି ଲୋକଙ୍କର କଠିନ ପରିଶ୍ରମ କରିବା ଏବଂ ସୃଜନଶୀଳତାର ପ୍ରେରଣାକୁ ଦୁର୍ବଳ ନ କରିବ ସେଥିପ୍ରତି ଧ୍ୟାନ ରଖିବା ଆବଶ୍ୟକ।
ଏକ ପ୍ରଭାବଶାଳୀ ୟୁବିଏସ୍ ବା ସାର୍ବଜନୀନ ମୌଳିକ ସେବା ବ୍ୟବସ୍ଥା ପ୍ରତିଷ୍ଠା କରିବାରେ ଏକ ବଡ଼ ପ୍ରତିବନ୍ଧକ ଆସିପାରେ। ଯଦି କୌଣସି ଦେଶ ଏହାକୁ ଲାଗୁ କରେ, ତେବେ ଅନ୍ୟଦେଶକୁ ପୁଞ୍ଜି ପ୍ରବାହ ଦ୍ୱାରା ସେହି ଦେଶର ଅର୍ଥନୀତି ଭୟଙ୍କର କ୍ଷତିର ସମ୍ମୁଖୀନ ହୋଇପାରେ। ତେଣୁ ୟୁବିଏସ୍ ବ୍ୟବସ୍ଥା ପାଇଁ ଏକ ଅନ୍ତର୍ଜାତୀୟ ଚୁକ୍ତିନାମା ଆବଶ୍ୟକ, ଯାହାକୁ ବହୁପକ୍ଷୀୟ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏହା କରିବା ସହଜ ହୋଇ ନ ପାରେ। କିନ୍ତୁ ପୂର୍ବରୁ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଶ୍ୱ ବାଣିଜ୍ୟ ଚୁକ୍ତିନାମା ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ଦ୍ୱାରା ତଦାରଖ ହେଉଥିବା ଶ୍ରମ ସମ୍ମିଳନୀର ଉଦାହରଣ ରହିଛି। ୧୦୦ ବର୍ଷ ପୂର୍ବେ ଏହିପରି ବ୍ୟବସ୍ଥାଗୁଡ଼ିକ ଅସମ୍ଭବ ମନେହେଉଥିଲା।
ବର୍ତ୍ତମାନ ବିଶ୍ୱର ଜନସଂଖ୍ୟା ପ୍ରାୟ ୮.୩ ବିଲିୟନ (୮୩୦ କୋଟି)। ବିଶ୍ୱର ସମ୍ପଦ ଅଳ୍ପ କେତେଜଣ ଲୋକଙ୍କ ହାତରେ ଠୁଳ ହେଉଥିବା ବେଳେ, ମୁଁ ପ୍ରସ୍ତାବ ଦେଉଥିବା ଏହି ୟୁବିଏସ୍ ବ୍ୟବସ୍ଥା ମାନବଜାତିର ଏକ ବିଶାଳ ବର୍ଗଙ୍କୁ ଲାଭାନ୍ବିତ କରିବ। ଯଦି ସରକାରଗୁଡ଼ିକ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି, ତେବେ ଆର୍ଥିକ ଅସମାନତା ଏବଂ ଅନିଶ୍ଚତତା ବିରୋଧରେ ଯୁବପିଢ଼ିଙ୍କ ସାମ୍ପ୍ରତିକ ପ୍ରତିବାଦର ଲହରି ଆମ ମନରେ ଏକ ଆଶା ସଞ୍ଚାର କରୁଛି। ତାହା ହେଉଛି, ସାଧାରଣ ନାଗରିକମାନେ ନିଜ ଅଧିକାର ଓ ଭବିଷ୍ୟତ ପାଇଁ ନିଜେ ପଦକ୍ଷେପ ନେବେ।
କୌଶିକ ବସୁ
-ବିଶ୍ୱବ୍ୟାଙ୍କର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ତଥା ଭାରତ ସରକାରଙ୍କ
ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା