ଇକୋ ବାର୍‌ ସିଲ୍‌, ମାଲିକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୧୦ (ବ୍ୟୁରୋ): କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳିବା ମହଙ୍ଗା ପଡ଼ିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଇନ୍‌ଫୋସିଟି ରୋଡ୍‌ରେ ଥିବା ଇକୋ ବାର୍‌ରେ ଚଢାଉ କରି ତାହାକୁ ସିଲ୍‌ କରିଛି। ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ କରିବା ସହ ଜନ୍ମଦିନ ପାଳନ କରୁଥିବା କେତେଜଣ ବ୍ୟକ୍ତିଙ୍କୁ ପୋଲିସ ଜରିମାନା କରିଛି।
ପାର୍ବଣରେ ସମ୍ଭାବ୍ୟ ସଂକ୍ରମଣ ରୋକିବାକୁ ପୋଲିସ ପକ୍ଷରୁ ଚଢାଉ ଜୋର୍‌ଦାର କରାଯାଉଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ବାର୍‌ରେ ଜନ୍ମଦିନ ପାଳନ ପାଇଁ ଭିଡ଼ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ତୁରନ୍ତ ଇନ୍‌ଫୋସିଟି ଥାନାର ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଗୋଟିଏ ସ୍ଥାନରେ ବହୁ ଲୋକ ସମାଗମ ହୋଇ ନାଚୁଥିବାବେଳେ କାହା ମଧ୍ୟରେ ସାମାଜିକ ଦୂରତ୍ୱ ରହି ନ ଥିଲା। ପୁଣି ଅଧିକାଂଶଙ୍କ ମୁହଁରେ ମାସ୍କ ନ ଥିଲା। ଏ ପରିସ୍ଥିତି ଦେଖି ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା।
କିଛିଦିନ ପୂର୍ବେ ମଞ୍ଚେଶ୍ୱର ଥାନା କଟକ-ପୁରୀ ବାଇପାସ୍‌ ରୋଡ୍‌ରେ ଥିବା ଏକ ହୋଟେଲରେ ଜନ୍ମଦିନ ପାଳନବେଳେ କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିବାରୁ ତାହାକୁ ସିଲ୍‌ କରାଯିବା ସହ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା। ଏହାସହ ଜନ୍ମଦିନ ପାଳନ କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିଥିଲା ପୋଲିସ।
ଏନେଇ ଡିସିପି ଡା. ଉମାଶଙ୍କର ଦାଶ କହିଛନ୍ତି, ପାର୍ବଣ ଋତୁରେ ଭିଡ଼ ନ କରିବାକୁ ପୋଲିସ ସତର୍କ କରି ଆସୁଛି। କିନ୍ତୁ ଲୋକେ ମାନୁନାହାନ୍ତି। ଯେଉଁମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏଭଳି ଭିଡ଼ କରିବେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।